ପ୍ରେମର ପରିଭାଷା
ପ୍ରେମର ପରିଭାଷା
ବିଦଗ୍ଧ ଜ୍ଵାଳା ରେ ତନୁ
ଝାଉଁଳି ଯାଉଛି
ରାଜ ହଂସ ପ୍ରେମେ ବନ୍ଧା
ଏକ ରାଜହଂସୀ ।
ଅନ୍ତହୀନ ପ୍ରତୀକ୍ଷା ରେ
ବିତି ଯାଏ ଯୁଗ
କଠୋର ହୃଦ ରେ ପ୍ରିୟ
କେତେ ସ୍ଥିତପ୍ରଜ୍ଞ।
ପ୍ରେମ ର ବିରହ ଜ୍ୱାଳା
ହୃଦୟ କ୍ଷତାକ୍ତ
ମାନମୟୀ ,ଅଭିମାନୀ
ଅସହ୍ୟ ବିଚ୍ଛେଦ।
ଦୂରେ ଦେଖେ ରାଜହଂସ
ମାନ ଅଭିମାନ
ସବୁ ପୁରିଥାଏ ଯହିଁ
ତା ନାମ ବନ୍ଧନ।
ଏତିକି ବେଳକୁ କିଏ
ଛିଞ୍ଚିଲା ପୀୟୂଷ
ଗିରି ଫାଙ୍କେ ଦିନମଣି
ହୋଇଗଲେ ସୁପ୍ତ।
ନଭ ର ରାଇଜେ ଖେଳେ
ପୀରତି ର ଛିଟା
ତାକୁ ଦେଖି ରାଜ ହଂସୀ
ପ୍ରଗଲ୍ଭା ପ୍ରେମିକା।
ଆକଣ୍ଠ ଗ୍ରାସେ ହଂସିନୀ
ତା ବକ୍ଷ ଉନ୍ମୁକ୍ତ
ଖୋଲିଲା ପାଖୁଡ଼ା ତାର
ଅନ୍ତରେ ବିମୁଗ୍ଧ।
ଶୀତଳ ଜ୍ୟୋତ୍ସ୍ନା ବିଧୌତ
ରାଜହଂସୀ ବକ୍ଷ
ସରସୀ ରେ ନୀଳ କଇଁ
ବାଦଲରେ ଚାନ୍ଦ।

