ପ୍ରେମର କୋଣାର୍କ
ପ୍ରେମର କୋଣାର୍କ
ପ୍ରେମ କୋଣାର୍କରେ ଲାଗିଲା ଶିଉଳି
ହୋଇଗଲା ଜରାଜୀର୍ଣ୍ଣ
ହୃଦୟରୁ ମୋତେ ଫିଙ୍ଗିଦେଇ ଯେବେ
ସାଜିଲ ହୃଦୟହୀନ ।।
ବାରଶ ବଢ଼େଇ ଗଢ଼ିଥିଲେ ସିନା
କୋଣାର୍କ ସୂର୍ଯ୍ୟ ମନ୍ଦିର
ଲହୁଲୁହ ସାଥେ ଏକା ତୋଳିଥିଲି
କୋଣାର୍କଟିଏ ପ୍ରେମର ।।
ସାଇତିଥିଲି ଗୋ ପ୍ରତିମୂର୍ତ୍ତି ତୁମ
ଏ ଦେହ କୋଣାରକରେ
ତୁମରି ସ୍ପର୍ଶରେ ପ୍ରେମର କିରଣ
ପଡୁଥିଲା ମୋ ଛାତିରେ।।
ନିଜେ ସାଜି ତୁମେ କଳାପାହାଡ଼ଟେ
ରଚିଲ ବିଳୟ ସାଥି
ଆବଦ୍ଧ କୋଠରୀ ଭିତରେ ଏକା ମୁଁ
କାଟେ ଏବେ ଦିନରାତି।।
କି ଲାଭ ପାଇଲ ଖେଳିଲ ମୋ ସାଥେ
ପ୍ରେମ ଖେଳ ଲୁଚକାଳି
ଫେରି ଚାହିଁଲନି ଦେହସାରା ମୋର
ଛଳନାର ରଙ୍ଗବୋଳି ।।
କ୍ଷତାକ୍ତ ହୋଇ ମୁଁ ତଥାପି ବଞ୍ଚିଛି
ସ୍ମୃତିକୁ ସାଉଁଟି ରଖି
ଦେହ ଦେଉଳକୁ ନିତି ଭିଜାଉଛି
ଶ୍ରାବଣ ସାଜି ଏ ଆଖି।।