ପ୍ରେମ
ପ୍ରେମ
ଏକ ଅୟୁତ ଆବେଗର ଶବ୍ଦ
ପ୍ରେମ
ଏକ ନିଃସର୍ତ୍ତ ଅନୁରାଗର ଭାବ
ପ୍ରେମ
ସମ୍ଭୋଗର ଉପସଂହାର ନୁହେଁ
ପ୍ରେମ
ଆକର୍ଷିତ ଯୌବନର ବିଷ୍ଳେଷଣ ନୁହେଁ
ପ୍ରେମ ।
ପ୍ରେମ ନୁହେଁ ବିବାହ ସୀମିତ
ପ୍ରେମ ଏକ ବଞ୍ଚିବାର ଆଧାର ହିଁ ମାତ୍ର,
ପ୍ରେମ ନୁହେଁ ଅଫେରା ଅତୀତ
ପ୍ରେମ ଏକ ସମୟ, ଅପେକ୍ଷାର ସର୍ତ୍ତ ।
ପ୍ରେମ କେବେ ମଉଳେନି,
ନିଦାଘର ତୀକ୍ଷ୍ଣତାରେ
ଘାସ ପରି ଜୀଇଁରହେ
ଅମୃତର ଉଷ୍ମତାରେ ।
ପ୍ରେମ କିନ୍ତୁ ଭିଜିଯାଏ ବର୍ଷାରେ
ମଧୁର ବାଣୀ ସାହାରାରେ,
ଧୈର୍ଯ୍ୟ ଧରେ ନିଃଶବ୍ଦରେ
ସ୍ବଛ ପ୍ରତିଶ୍ରୁତି ପରେ ।
ପ୍ରେମ କିନ୍ତୁ ଭଲପାଏ ଶରତର
ଜହ୍ନ କିରଣ ଓ ଆକାଶକୁ
ଭଲପାଏ ଉଦିତ ସୂର୍ଯ୍ୟର
କୋମଳ କିରଣ ଆଲିଙ୍ଗନକୁ ।
ପ୍ରେମର ଆଦି ଅନ୍ତ ନାହିଁ
ବସନ୍ତର ଫୁଲରେ କେବେସେ
ଶୀତମିଶା ଭିଜା କାକରରେ
ପ୍ରତୀକ୍ଷାରେ, ସ୍ବୀକୃତିରେ,
ସ୍ବପ୍ନରେ ସ୍ବପ୍ନରେ ।
ପ୍ରେମ ଖାଲି ଏକ ପ୍ରତୀକ
କିଛି ଆଶ୍ବାସନାର,
ଆଉ ବିଶ୍ୱାସର,
ତନ୍ଦ୍ରା ବିଜଡିତ ଏକ ହସ୍ତାକ୍ଷର ।
ଆଜି ବି ପ୍ରେମ ଏକ ପ୍ରଶ୍ନବାଚୀ!
ବୋଧେ ଆଦ୍ୟ ଯୌବନର
ମୃଦୁ ସମ୍ପର୍କର,
ମାୟା ଭଉଁରୀର ଆୟୁଷର ମାପ ଚିହ୍ନ
ନିଖୋଜ ସ୍ମୃତି, ତା'ର ପରିଚୟ ।