ପ୍ରେମ
ପ୍ରେମ
ଦୁଇଟି ଅଚିହ୍ନା ହୃଦୟ,
ଦୃଢ଼ ଆବେଗର ଶିକୁଳିରେ ଛନ୍ଦି ହୋଇ,
କିଛି ସକାରାତ୍ମକ ଭାବନାକୁ,
ସମ୍ମାନର ସହିତ ସମ୍ପର୍କ ର ରୂପ ଦେଲେ,
ରକ୍ତର ବନ୍ଧନଠୁ ଉର୍ଦ୍ଧ୍ୱରେ ଗଢିଉଠେ,
ନୂତନ ଏକ ଭାବାନୁମୋଦନର ଧାରା ।
ଇତସ୍ତତଃ ପ୍ରାୟ ମାନସିକ ଚିନ୍ତାଧାରାକୁ,
ପର୍ବତ ସମ ସ୍ଥିରୀକୃତ କରାଇ,
ତୀବ୍ର କରେ ତେଜୀୟାନ୍ କରେ,
ପୂର୍ଣ୍ଣତା ଆଣେ ପୁଣି ମାନସିକ ଅଗ୍ରଗତିରେ,
ଗଢ଼ି ତୋଳିବାକୁ ଏକ ,
ସମ୍ପୂର୍ଣ୍ଣ ପରିପକ୍ୱ, ପରିପୁଷ୍ଟ ଜୀବନ।
ପ୍ରେମ ଯେ ଏକ ପବିତ୍ର ଅନୁଭବ,
ଯିଏ ଏକାଠି ବାନ୍ଧି ଦିଏ ଦୁଇ ଭିନ୍ନ ମନୁଷ୍ୟଙ୍କୁ,
ଗୋଟିଏ ସୁତାରେ ଗୁନ୍ଥି ଦିଏ ସ୍ପନ୍ଦନକୁ,
ଶୂନ୍ୟ ପ୍ରାୟ କରିଦିଏ ସବୁତକ ଦୁରତ୍ଵ,
ଲିଭେଇ ଦିଏ ଅତୀତର ଅଭୁଲା ଦାଗ,
ଲେଖିଯାଏ ବିଶ୍ୱାସର ନବ ଇତିହାସ।
ପ୍ରେମ ର ମୃଦୁ ମଧୁ ଛିଟା,
ଦେହରେ ଲାଗିଲେ ଭଲଲାଗେ ସାଇତି ବାକୁ,
ସେ ଚିହ୍ନ ଗୁଡିକୁ ମନ ମନ୍ଦିରରେ,
ସତେ ଅବା ମୁକୁତା ଟେ ପାଇଛି,
ପ୍ରଣୟର ସାଗର ତଳ ଖାଲି ଘର,
ଯିଏ ଆତୁର ହଜିଯିବାକୁ ପୁଣି ହଜେଇ ବାକୁ,
ସକଳ ଅସ୍ତିତ୍ବର ଜମା ପୁଞ୍ଜି।