ପ୍ରେମ
ପ୍ରେମ
ପ୍ରେମ ଅଟେ ପରା ଚରନ୍ତନ ସତ୍ୟ
ପ୍ରେମରେ ଜଗତ ବନ୍ଧା
ପ୍ରେମ ନ ଥିଲେ ତ ଦୁନିଆ ଅସାର
ପ୍ରେମ ଯେ ପ୍ରୀତି ସୁଗନ୍ଧା ।
ପ୍ରେମ ନୁହେଁ କେବେ ଦେହର ଲାଳସା
ନଥାଏ ସ୍ଵାର୍ଥର ଗନ୍ଧ
ପ୍ରେମ ଅନୁପମ ଅନୁଭବ ଟିଏ
ତ୍ୟାଗରେ ତାର ମହତ୍ତ୍ଵ ।
ପିତା ମାତା ପ୍ରେମେ ଜୀବନ ପ୍ଳାବିତ
ଜୀବନୀ ଶକ୍ତି ଯେ ଦିଏ
ତାଙ୍କରି ପ୍ର୍ରେମରେ ଜୀବନ ପୁଷ୍ପିତ
ମମତା ପରଶି ଯାଏ ।
ଭାଇ ଭଉଣୀର ଅପୂର୍ବ ପ୍ରେମରେ
ସଂସାରେ ସୁଖ ଲହର
ଜୀବନ ହୁଅଇ ଉପଭୋଗ ମୟ
ହୁଏ ସରସ ସୁନ୍ଦର ।
ପ୍ରେମ ନୁହେଁ ଖାଲି ଦୁଇଟି ଜୀବନ
ଆଦିମ ଇଚ୍ଛାର କଥା
ପ୍ରେମ ଅଟେ ପରା ନିତ୍ୟ ଚିରନ୍ତନ
ପବିତ୍ର ତାହାର ବାର୍ତ୍ତା ।
ପବିତ୍ର ପ୍ରେମର ପ୍ରତିଟି ଧାରାରେ
ତ୍ୟାଗର କାହାଣୀ ଲେଖା
ପ୍ରେମର ପ୍ରତିଟି ପାଖୁଡ଼ା ରେ ପରା
ଶାଶ୍ଵତ ଆନନ୍ଦ ଭରା ।
ପ୍ରେମ ର ପରଶେ ଜୀବନ ସରସ
ନିରସେ ସରସ ଭରା
ଶୁଖିଲା ଗଛରେ ପତ୍ର ଯେ କଅଁଳେ
ପଶୁ ବି ବୁଝେ ତା ଭାଷା ।
ପ୍ରେମ ମୟ ଭାଷା ପ୍ରେମର ପରଶ
ଆଶାର ସଂଚାର କରେ
ମନରେ ଖେଳଇ ଆନନ୍ଦ ଲହରୀ
ହୃଦ ଶାନ୍ତ ହୋଇ ଯାଏ ।
ପ୍ରେମ ଅଟେ ନିତ୍ୟ ପ୍ରେମ ଯେ ପବିତ୍ର
ଅନାବିଳ ତାର ଧାରା
ସେ ଧାରାରେ ଧରା ପ୍ଳାବିତ ହୋଇଲେ
ସୃଷ୍ଟି ହେବ ମନୋହରା ।
ପ୍ରେମ ମୟ ପ୍ରାଣ ସନ୍ତୋଷରେ ଭରା
ଅସୀମ ତାହାର ଶକ୍ତି
ପ୍ରେମ ଭରିଦିଏ ଆତ୍ମ ବଳ ପୁଣି
ମନେ ବିରାଜଇ ଶାନ୍ତି ।
ପ୍ରେମ ପ୍ରତିଟି ପତରେ ପତରେ
ତ୍ୟାଗ,ଦୟା, କ୍ଷମା ଲେଖା
ନିଃସ୍ଵାର୍ଥପରତା ତାକୁ ଦୃଢ କରେ
ଦିଏ ଦୃଢ଼ୋକ୍ତିର ବାର୍ତ୍ତା ।
ପ୍ରେମ ସିକ୍ତ ମନ ଅସରା ଦୁଃଖରେ
ଆସରାର ଛୁଆଁ ଦିଏ
ପ୍ରେମରେ ଗାଧୁଆ ହୃଦୟଟି ପରା
ସନ୍ତୋଷ ସାଉଁଟୁ ଥାଏ ।
ପ୍ରେମ ପରଶ ରେ ବ୍ୟକ୍ତିତ୍ଵ ହୁଅଇ
ଆକାଶ ଭଳି ମହାନ
ଦେଖନ୍ତି ସମସ୍ତେ ବିଭୋର ହୁଅନ୍ତି
କରୁଥାନ୍ତି ଯେ ନମନ ।
ପ୍ରେମର ମନ୍ତ୍ରଟି ଏତେ ଶକ୍ତିଶାଳୀ
ପଙ୍ଗୁ ଲଙ୍ଘି ପାରେ ଗିରି
ପ୍ରେମର ଭାଷା ଯେ ସଭିଙ୍କର ପ୍ରିୟ
ଭରଷା ତାହାର ଶିରୀ ।
ପ୍ରେମ ଏମିତିକା ଅମୋଘ ଅସ୍ତ୍ର ଟେ
ଶତ୍ରୁକୁ ମିତ୍ର ବନାଏ
ମନ ଭିତର ମଇଳାକୁ ଧୋଇ
ସୁନିର୍ମଳ କରୁଥାଏ ।
ପ୍ରଭୁ ଙ୍କ ପାଖରେ କରୁଛି ଦୟିନୀ
ପ୍ରେମ ଗଙ୍ଗା ବହି ଯାଉ
ତାହାରି ପରଶେ ଏ ବିଶ୍ଵ ଭୁବନେ
ଶାନ୍ତିର ପ୍ରତିଷ୍ଠା ହେଉ ।
