ପ୍ରେମ ପରଶର ବାସ୍ନା
ପ୍ରେମ ପରଶର ବାସ୍ନା
ପ୍ରୀତିର ପରଶ ପୁଲକ ଜଗାଇ
ଖୁସିରେ ପରାଣ ଭରିଦିଏ,
ପ୍ରଗଳ୍ଭେ ପରାଣ ମଧୁର ସୁବାସ
ଚଉଦିଗ ସାରା ବୁଣିଦିଏ। [୧]
ସୁଶୀତଳ ଶଶୀ କିରଣେ ବିଧୌତା
କୁମୁଦିନୀ ବାସ ଖେଳିଯାଏ
ଦିବାକର କର ପରଶକୁ ପାଇ
ପଦ୍ମ ଗନ୍ଧ ମନ ମୋହିନିଏ । [୨]
ଅପେକ୍ଷିତ ବାରି ଧୂସର ଧରଣୀ
ଦେହ ଯେବେ ଧୀରେ ଛୁଇଁ ଯାଏ,
ଖୁସିର ଉଛ୍ୱାସେ ମିଠା ମିଠା ବାସ
ଭିଜା ମାଟି କେତେ ବିଞ୍ଚିଦିଏ। [୩]
ମା କୋଳେ ଥାଇ ନିରୀହ ଶିଶୁଟି
ମନ ଖୋଲି ଯେବେ ହସିଦିଏ,
ଦରୋଟି ଓଠରୁ ତୃପ୍ତିର ମହକ
ମହ ମହ ହୋଇ ଭାସିଯାଏ । [୪]
p>
ବସନ୍ତ ସମୀର ପରଶକୁ ପାଇ
ବକୁଳର ବାସ ଛାଇଯାଏ,
ମିଠା ମହକରେ ବିମୋହିତ ହୋଇ
କୋକିଳ ମଧୁର ଗାଉଥାଏ। [୫]
ଭ୍ରମରର ମଧୁ ପରଶେ, ଆହ୍ଲାଦେ
କଳିର କବାଟ ଖୋଲିଯାଏ,
କୁସୁମ କୁମାରୀ; ସୁକୁମାରୀ ତନୁ
କେଡେ ମନଲୋଭା ଦିଶିଯାଏ। [୬]
ସଂସାର ଜଂଜାଳେ ଜଡ଼-ସଡ଼ ମନ,
ମିତର ମମତା ଭାଳି ହୁଏ,
ମନ-ମିତଟିର କାଉଁରୀ ପରଶ
ଜୀବନେ ଆନନ୍ଦ ଭରିଦିଏ । [୭]
ଶାଶ୍ୱତ ବନ୍ଧନ ସରଗ ସମାନ
ସେନେହର ଗଙ୍ଗା ଝରୁଥାଏ,
ପ୍ରୀତି ପାରିଜାତ ସୁମନର ବାସ
ଅନ୍ତର ଭିତରୁ ସ୍ଫୁରୁଥାଏ। [୮]