ପ୍ରେମ ଘର ପାଖେ
ପ୍ରେମ ଘର ପାଖେ
ଆଖି ଲୁହ ଢାଳି ଲିଭେଇ ପାରିନି
କୁହୁଳି କୁହୁଳି ଜଳୁଛି ନିଆଁ
କ୍ଷଣିକେ ବିରାମ ଅଳପ ଆରାମ
ଦି'ଦଣ୍ଡ ପରେ ଉଠୁଛି ଧୂଆଁ।
ଓଦା ପାଉଁଶକୁ ଆଙ୍ଗୁଳିରେ ଛୁଇଁ
ଆଶ୍ୱାସନା କେବେ ଆଉଁସି ଦିଏ
ହିଆ ଠେଲି କେବେ ଉଷୁମ ନିଃଶ୍ୱାସ
ଓଠ ଛୁଇଁ ଛାଏଁ ବାହାରି ଯାଏ
ପ୍ରେମ ବୋଲି ଯା'କୁ କୋଳେଇଥିଲି ମୁଁ
କେମିତି ହେଲା ସେ ଛଈ ଛଳନା ।
ଗୋଲାପରେ କଣ୍ଟା ଜାଣିବା ପରେବି
ଛୁଇଁବାର ଆଶା ଧରିଛି ବୋଲି
ଅଳି କଳି କାନେ ପ୍ରଭାତୀ ପବନେ
କହିଛି ଗୋପନେ ହାତ ପାପୁଲି
ପ୍ରତିଶ୍ରୁତି ଆଜି ପ୍ରତାରଣା ସାଜି
ଛାତିରେ ଗେଞ୍ଜୁଛି ଚହଁକା ନିଆଁ ।
ଜଳେଇବା ପାଇଁ ଚାହୁଁଥିଲ ଯଦି
ଆଳୁଅର ଆଶା କିଆଁ ଭରିଲ
ଉଆଁସି ଆଶାକୁ କୁଆଁସି ଆକାଶ
ଦେଖେଇ ଦେଖେଇ କିଆଁ ଠାରିଲ
ବୁଝିପାରେ କଇଁ ଦେଖି ଜହ୍ନ ଛାଇ
ଜହ୍ନର ପୀରତି ମିଛିମିଛିଆ ।
ହାତ ପାପୁଲିରେ ଆଖି ସାଉଁଳେଇ
ସମୟକୁ ଯେବେ ଦେଖିଲି ଚାହିଁ
ଝାପସା ଝାପସା ଦିଶୁଥିଲା ସବୁ
ଚଷମା କାଚରେ ବାମ୍ଫର ଛାଇ
ଗାମୁଛା କାନିରେ ପୋଛି ଦେଲାପରେ
ଝଲସି ଉଠିଲା ସାରା ଦୁନିଆଁ
ଛଳନା ହେଉ ବା ହେଉ ପ୍ରତାରଣା
ପ୍ରେମ ଘର ପାଖେ ଦୁହିଁଙ୍କ ଗାଁଆଁ।
