ପ୍ରେମ...ଏକ କାଦମ୍ଵରୀ ନିଶା
ପ୍ରେମ...ଏକ କାଦମ୍ଵରୀ ନିଶା
କ'ଣ ...ଆସୁଛ ...!
କେବେ ...?
ଏଇ ଫଗୁଣ ଫୁଆରାରେ ..!
ନା ..ନିଦାଘ ଡେଇଁ
ଝରା ଶ୍ରାବଣରେ ..!
ହଁ ...ସଖା ....
ଇଚ୍ଛାକୁ କରି ଆଧାର
ତୁମେ ଯେବେ ଵି ଆସିପାର
ଏ ଚିରସ୍ରୋତା ଦୁଃଖ
ତ ମୋ'ର
ଦ୍ଵାପର ଯୁଗର ....
କୃଷ୍ଣ ପ୍ରାପ୍ତିର ଏ
କାଦମ୍ଵରୀ ନିଶା
ମୋ'ର ଅନନ୍ତ କୋଟି କଳ୍ପର ....
ମୁଁ ଥକିପଡିନି ମ ..ସଖା
ଯାହା ମୋ ଅଳସୀ
ଆଖି ହଳକ
ପହଁରୁଛନ୍ତି ଏଣେତେଣେ
ଏକ ଅମୃତର ଅନ୍ଵେଷଣେ .....
ବୋଧେ ବାଟବଣା ଠିକଣାରେ .....
ହଁ ..ସଖା କେବେ ତ ହେଲେ ଆସ
ଆସିବ ଯଦି ଫଗୁଣରେ
ବସନ୍ତର ଵାଟସାରା
ବୁଣିଦେଵି
ବିଦଗ୍ଧ ବିଶ୍ଵାସ ...
ମୁଠେ ବଉଳର
ବିମୁଗ୍ଧ ବାସ୍ନାରେ
ଆଞ୍ଜୁଳେ ଅବିରର
ଅନାବିଳ ଆବେଗରେ
ରଙ୍ଗେଇଦେଵି
ସ୍ୱପ୍ନର ଅବଶିଷ୍ଟ ଆୟୁଷ ....
ଇତ୍ୟବସରରେ
ମେଣ୍ଟଉଥିଵି ମୋ
ଜୀବାତ୍ମାର
ସହସ୍ର ଯୁଗର ଶୋଷ
ମୋ ହୃଦୟର କୁଞ୍ଜଵନ କୁଟୀରରେ
ମୋହନ ବଂଶୀର
ଅପୂର୍ବ ମାଦକଭରା ସ୍ବରରେ
ଏକାନ୍ତରେ ଅନୁଭଵୁଥିଵି
ସେଇ ଦିବ୍ୟ ଅଲୌକିକ ବସନ୍ତର
ନିତ୍ୟ ମହାରାସ ...
ହଁ ..ସଖା ସଞ୍ଜ ନଇଁବା
ଆଗରୁ ଥରୁଟିଏ ଆସ
ଆସିଵ ଯଦି ଶ୍ରାବଣରେ
ମୁଁ ଖୋସିଦେଵି
ଵର୍ଷାର ଗଭାରେ
କୁଆଁରୀ କଦମ୍ବ ...
ମେଘ ମହ୍ଲାରର
ମିଳନ ରାଗରେ
ମନ ମଧୁଵନେ
ସ୍ଥାପିଵି ପ୍ରୀତି ପୂର୍ଣ୍ଣ କୁମ୍ଭ ...
ଜୀବନ ଯମୁନାର
ଉଚ୍ଛୁଳା ଜଳରାଶିରେ
ଜାଵୁଡି ଧରିବି
ପରମପୁରୁଷଙ୍କ ପ୍ରତିବିମ୍ବ ...
ବାରମ୍ବାର ଵରି ନେଇ
ବୃନ୍ଦାବନର ଚାଟୁକ୍ତି
ହେଵି ପଛେ କଳଙ୍କିନୀ ,ଦୋଚାରୁଣୀ
ତଥାପି ...
ମୋ କାମନାର କଳସରେ
ଭରିଦେବି
ତୁମକୁ ମୋ ପ୍ରେମର
ବନ୍ଧନରେ ବାନ୍ଧିରଖିବାର
ଦୁର୍ବାର ଲାଳସା ଓ
ଅଦମ୍ୟ ଦମ୍ଭ ....
ହଁ ...ସଖା ..ଆସ
ଏଇ ଫୁଲେଇ ଫଗୁଣରେ
ଫୁଲ ଓ ପ୍ରଜାପତିଙ୍କ
ମିଳନ ହାଟରେ
ଏକ ଶାଶ୍ଵତ ସମ୍ପର୍କର
କରିବା ଶୁଭାରମ୍ଭ ।।
