ପର୍ବ ଆଉ ଆମ ପର୍ବାଣୀ*
ପର୍ବ ଆଉ ଆମ ପର୍ବାଣୀ*
ଆମ ପର୍ବ ଆଉ ଆମ ପର୍ବାଣୀ
ପିଠା ପଣା କହେ ତା'ର କାହାଣୀ ।
ବାର ମାସେ ଆମେ ତେରଟି ପରବ
ପାଳୁଅଛୁ ମିଶି ଭାଇ ଭଉଣୀ
ଆମ ପର୍ବ ଆଉ ଆମ ପର୍ବାଣୀ ।
ଦଣ୍ଡ ଯାତ୍ରା ହୁଏ ମୋରୁ ପର୍ବରେ
ଶିବ ଶମ୍ଭୁ ପୁଜୁ ଥାନ୍ତି ଅନ୍ତରେ
ମେରୁ ସଂକ୍ରାନ୍ତିରେ ବେଲ ପଣା ହୁଏ
ପିଉଥାନ୍ତି ଖୁସି ହେଇ ଦାଣ୍ଡରେ ।
ଆମ ପିଠା ପଣା ଆମ ପର୍ବରେ ।
କୃଷିଭିତ୍ତିକ ପର୍ବ ରଜ ଆମ
ଦିନକ ଆଗରୁ ବହୁତ କାମ
ପୋଡ ପିଠା ସାଥେ ରଜ ଦୋଳି ଖେଳ
କେତେ ଖୁସି ଲାଗେ ଦିନ ତମାମ ।
ଆମ ପର୍ବ ମାନି ପାଳୁଛୁ ଧର୍ମ ।
ଚିତଉ ପିଠାଟି ଶ୍ରାବଣ ମାସେ
ଘରଟି ମହକି ଉଠେ ତା ବାସେ ।
ରାକ୍ଷୀ ପୂର୍ଣ୍ଣିମାରେ ରାକ୍ଷୀ ବନ୍ଧା ଯାଏ
ପିଠା ଖାଉ ବସି ମନ ହରଷେ ।
ପାଳୁ ଥାଉ ପର୍ବ ଆମେ ଉଲ୍ଲାସେ ।
କୁମାର ପୂର୍ଣ୍ଣିମା ପିଠାଟି ହୁଏ
ଖୁସି ମନେ ଝିଅ ଚାନ୍ଦ ବନ୍ଦାଏ ।
ପୁଚି ଖେଳେ ମାତି ପୁହାଏ ସେ ରାତି
ଖୁଦୁରୁକୁଣୀକୁ ମନେ ପକାଏ ।
ଆମ ପର୍ବ ପରମ୍ପରା ତ ଇଏ ।
କାର୍ତ୍ତିକରେ ପଡେ ସେ ଦୀପାବଳି
ପିଠା ପଣା ସାଥେ ଦୀପକୁ ଜାଳି ।
ରାସ ପୂର୍ଣ୍ଣିମାରେ ଡଙ୍ଗାକୁ ଭସାନ୍ତି
ଫୁଲ ତୋଳିଥାନ୍ତି ହେଇଣ ମେଳି ।
ମୁରୁଜ ପକାନ୍ତି ଭଳି କି ଭଳି ।
ପ୍ରଥମାଷ୍ଟମୀଟି ମାର୍ଗଶିରରେ
ହେଇଥାଏ ପିଠା କେତେ ପ୍ରକାରେ ।
ସବୁଠୁ ନିଆରା ହଳଦୀ ପତ୍ରର
ଘର ପୂରି ଉଠେ ତାର ବାସ୍ନାରେ ।
ଆମ ପର୍ବ ପାଳୁ ବିଧି ନୀତିରେ ।
ପଉଷ ମାସରେ ପଉଷ ମଣ୍ଡା
ସକାଳୁ ଖାଇଲେ ପେଟଟି ଥଣ୍ଡା
ମକର ସଂକ୍ରାନ୍ତି ମକର ଜାଉରେ
ଖାଇଦେଲେ ମୁଣ୍ଡ ହୁଅଇ ଥଣ୍ଡା ।
ମନେ ପଡି ଯାଏ ଗଇଣ୍ଠା ମଣ୍ଡା ।
ମାଘରେ ଅଗିରା ପରବ ହୁଏ
ଫଗୁଣ ମାସଟି ଅନେଇଁ ଥାଏ
ଦୋଳ ପୂର୍ଣ୍ଣିମାର ଲଉଡି ଖେଳରେ
ପିଠା ପଣା ମଜା ଜମି ତ ଯାଏ ।
ରଙ୍ଗ ହୋଲି ପର୍ବ ଆସେ ତ ଇଏ ।
ଆମରି ପରବ ଆମରି ଗର୍ବ
ଓଡିଶା ମାଟିର ଯଶ ଗୌରବ
ପାଳନ କରୁଛୁ ମାନି କି ଚଳୁଛୁ
ମନରେ ରଖିଛୁ ଏକତା ଭାବ ।
ଭରି ଦିଏ ସ୍ମୃତି ଆମରି ପର୍ବ ।
