ପ୍ରାୟଶ୍ଚିତ
ପ୍ରାୟଶ୍ଚିତ
ମୋତେ କିଛି ଆଲୋକ ଦିଅ ଏ ଅନ୍ଧାର ଆକାଶେ
ମୁଁ ପ୍ରାୟଶ୍ଚିତ କରି ବାକୁ ଚାହେଁ ଇଶ୍ଵରଙ୍କ ପାଶେ,
ଅନ୍ତରଙ୍ଗ ପାଲଟି ଯାଉଥିବା ଦୂଷିତ ଭାବନାକୁ ଦୂରେଇ
ମୁଗ୍ଧ ମାନବିକତାର ମୋହନୀୟ ଗୀତକୁ ଗାଇ ଗାଇ ,
ଏ ଦୁନିଆରୁ ହଜିଯିବାର ସମ୍ଭାବନା ଯେଉଁଠି ଚିରନ୍ତନ
ତେବେ କାହାଲାଗି ଏ ସୂର୍ଯ୍ୟ ଚନ୍ଦ୍ର ନକ୍ଷତ୍ରର ଆୟୋଜନ !
ଅହରହ କ୍ଷତ ବିକ୍ଷତ କରି ଆଉ କାହାର ଭାବନାକୁ
ପୁରା କରିବାକୁ ଚାହେଁନା ଏବେ ମୁଁ ମୋ ବାକିତକ ସ୍ବପ୍ନ ,
ବିଭୋର ହୁଏନା ହୃଦୟ ଆଜି ମିଛ ଆଭିଜାତ୍ୟରେ
ଛଟପଟ ହେଉଛି ପ୍ରାଣପକ୍ଷୀ ଏ କପଟ ଖେଳରେ,
ଅସଫଳ ସ୍ବପ୍ନର ଏ ନିଶ୍ଚଳ ନିସ୍ପନ୍ଦ ଶରୀରକୁ ନେଇ
କାହିଁକି ଚାଲିବି କହିଲ ଏ ଅହଂକାରର ଖଣ୍ତାଧାରରେ,
ଏ ମାୟାରୁ ମୁକୁଳିବାକୁ ,ପ୍ରାୟଶ୍ଚିତ ହଁ ଏବେ ଶେଷ ମାର୍ଗ
ସଂପର୍କର ନିବିଡତାରେ ହିଁ ଜୀବନେ ପ୍ରାପ୍ତି ହୁଏ ସ୍ବର୍ଗ ,
ଝଡର କଂପନ ଯେଉଁଠି ଅହରହ ନିଜସ୍ଵ ପୃଥିବୀରେ
ସେଠି ଲାଭକ'ଣ ନିଜପାଇଁ ନିଜେ କୋକେଇ ବାନ୍ଧିବାରେ !
ସଭ୍ୟତା ଲୋପ ପାଇଯିବ ଜଣା ନାହିଁ କେତେ ବେଳେ
ମଣିଷ ମାଟିରେ ହିଁ ମିଶିବ କାଳବଳେ ସମୟର ଚକତଳେ ,
ଆଖି ମିଟିକା ମାରିଲାଣି ନିୟତି ସଙ୍କଟର ଓଢ଼ଣା ଫାଙ୍କରୁ
କିଏଜାଣେ କାହାର କେତେ ଆଉ ଆୟୁଷ ଏ ମହୀତଳେ ...!