ନୀଳ ଆକାଶ
ନୀଳ ଆକାଶ
ନୀଳ ଆକାଶର ଅପରୂପ ଶୋଭା
ଦିଶେ ଭାରି ମନୋହର
ଦିଗନ୍ତ ପ୍ରସାରୀ ତା'ର ପ୍ରତିଛବି
ମନେ ତୋଳେ ନିତି ଘର l
ଆକାଶ ବୁକୁର ସେ ନୀଳିମା ତଳେ
ଧାଡିଧାଡି ତାଳଗଛ
ଗଛ ନୁହେଁ ସେ' ତ ଚଢେଇର ବସା
ଏକଥା ନୁହଁଇ ମିଛ l
ଦେଇପାରେ ନାହିଁ ଝଙ୍କାଳିଆ ଛାଇ
ବାଟୋଇକୁ ସିନା ସେଇ
ତଥାପି ତ ସିଏ ଆନନ୍ଦେ ହସୁଛି
ଆକାଶର ଗୀତ ଗାଇ ।
କମିନି ଦୂରତା ଅବା ମଧୁରତା
ମାଟି ଆଉ ଆକାଶର
ଯୁଗ ଯୁଗର ସେ ନିବିଡ଼ ସମ୍ପର୍କ
ଲାଗେ ଅତି ଆପଣାର l
ମେଘ ମେଦୁରର ଭସା ବାଦଲକୁ
ଗୋଧୂଳି ସଞ୍ଜୁଆ ବେଳ
ଛାଇ ଆଲୁଅର ରଙ୍ଗୀନ୍ ଛିଟାରେ
ଅଳସ ରବିର ଖେଳ ।