ନାଆଁଟି ମୋହର ଛତା
ନାଆଁଟି ମୋହର ଛତା


ଛତା ବୋଲି ମୋର ନାମ ଅଟଇ
ଖରା ବର୍ଷାରେ ମୁଁ ଖୋଜା ପଡ଼ଇ l
କଳା ଧଳା, ନାଲି କେତେ ରଙ୍ଗରେ
ଶରୀର ମୋହର ଶୋଭା ପାଏରେ l
ଅର୍ଦ୍ଧଚନ୍ଦ୍ର ବେଣ୍ଟ ପାଦେ ମୋ ଥାଏ
ଛୋଟ ଟୋପିଟିଏ ମଥାରେ ଶୁଏ l
ମେରୁଦଣ୍ଡ ମୋର ଲୁହାର ବାଡ଼ି
ଛାତିର ପିଞ୍ଜରା ଅଟଇ ଖାଡ଼ି l
କେବେ ରୁହେ ମୁହିଁ ମୁଣ୍ଡ ଉପରେ
ଆଉ କେବେ ପୁଣି କାଖ ତଳରେ l
ଝାଞ୍ଜି ଖରା ଅବା ଝଡ଼ି ବରଷା
କରିଥାନ୍ତି ମୋତେ ଲୋକେ ଭରଷା l
ଧନୀ ଠୁ ଗରିବ ସବୁରି ପ୍ରିୟ
ବିପଦ ଆପଦେ ସଦା ମୋ ଲୟ l
ପ୍ରାଣ ଥିବା ଯାଏଁ ରୁହେ ମୁଁ ସାଥେ
ଯେତେ ଝଡ଼ ଝଞ୍ଜା ଆସୁ ମୋ ପଥେ l
ନ ମିଳୁ ପଛକେ ମୋତେ ସମ୍ମାନ
ପର ପାଇଁ ଦିଏ ମୁହିଁ ଜୀବନ l
ଛତାଟିଏ ଭାଇ ମୁଁ ଛତାଟିଏ
ସଭିଙ୍କ ହିତରେ ପା' ଲୋଡ଼ା ହୁଏ l