ବଣରେ ପଡ଼ିଛି ହୁରି
ବଣରେ ପଡ଼ିଛି ହୁରି


ଜାନୁଆରୀ ଛବିଶି ଆସିଛି ବୋଲି
ବଣରେ ପଡ଼ିଛି ହୁରି
ବିଲୁଆ ନନାଟା ଚିଲେଇ କହୁଛି
କରିବା ପ୍ରଭାତ ଫେରି l
ବଡି ସକାଳରୁ ସଭିଏଁ ଉଠିବା
ଅସରନ୍ତି ଖୁସି ନେଇ
ଗରବେ ପାଳିବା ଏ ଜାତୀୟ ପର୍ବ
ଏକ ସ୍ଥାନେ ରୁଣ୍ଡ ହୋଇ l
ତ୍ରିରଙ୍ଗା ପତାକା ଉଡ଼ାଇବା ଆମେ
ଦେଶପ୍ରେମ ରଙ୍ଗ ବୋଳି
ନେବାରେ ଶପଥ ଏ ବଣ ମୁଲକେ
କ୍ରାନ୍ତିର ମଶାଲ ଜାଳି l
ଗଧିଆ ଭାଇନା ବଜାଇବ ବାଜା
ଚଉଦିଗ ଚମକାଇ
ମାଙ୍କଡ଼ ମଉସା ପୁଙ୍କିବି ପେଁ କାଳି
ଦଳବଳ ସାଥେ ନେଇ l
ହଳଦୀ ବସନ୍ତ ଠେକୁଆ ହରିଣ
କୋଇଲି କଜଳ ପାତି
ସରାଗେ ଗାଇବେ ଜନ ଗଣ ମନ
ହୃଦେ ଭରି ଦେଶପ୍ରୀତି l
ସଭାପତି ରୂପେ ସିଂହକୁ ବାଛିବା
ଗରବେ ଫୁଲାଇ ଛାତି
ବାଘ, ଭାଲୁ, ହାତୀ ଦେବେଟି ଭାଷଣ
ଶୁଣିବା ପୁରାଇ ମତି l
ରାଗ ହିଂସା ଭୁଲି ମିଶି କି' ଚଳିବା
ରଖି ଠିକ୍ ବୁଝାବଣା
ହିଂସାକୁ ଆଡ଼େଇ ସୁପଥେ ଚାଲିବା
ହେବାନାହିଁ ବାଟବଣା l
ବିଲୁଆର କଥା ମନକୁ ପାଇଲା
ସବୁ ହେଲେ ଏକମତ
ବଣର ରାଜାଙ୍କୁ ବୁଝାଇ କହିଲେ
ସସମ୍ମାନେ ଯୋଡ଼ି ହାତ ll