ଆସରେ ପିଲେ ବଣକୁ ଯିବା
ଆସରେ ପିଲେ ବଣକୁ ଯିବା
ଗରମ ହେଲାଣି ମଳୟ ବହୁନି
ଝାଞ୍ଜି ଖରା ଆଉ ସହି ତ ହେଉନି
କେମିତି କୁହ, କେମିତି କେମିତି କୁହ
ଜୀବନ ଧରି ଦଣ୍ଡେ ଆଉ ରହିହେଉ ନି।
ଭାବୁଛି ଆଜି ଗୋଟିଏ କଥା
ରାଜି ତ ଯଦି ଟୁଙ୍ଗାର ମଥା ।
ଆସରେ ପିଲେ ବଣକୁ ଯିବା
ପ୍ରକୃତିର ସୌନ୍ଦର୍ଯ୍ୟ ଦେଖିବା
ବୁଲି ବୁଲି ନାନା ଗଛ ଚିହ୍ନିବା
ତାହାର ସୁଗୁଣ ଖାତାରେ ଲେଖିବା ।
ଆସରେ ପିଲେ …।
ଶାଳ, ପିଆଶାଳ, ଶିଶୁ, ଶାଗୁଆନ
ଆକାଶି, ଜୁଆଙ୍ଗ, ଅର୍ଜୁନ
ସୁମରି, କଇଁଆ, ଆମ୍ବ, ପଣସ, କଇଥ
ଡିମିରି, ବରୁଣ, ଚନ୍ଦନ ।
ରାଇ, ବଣିଆ, ହେନ୍ତାଳ, ପିତାମାରି
ସୁନ୍ଦରୀ, ଗୁଆଁ, ବନୀ,
କେରୁଆଁ, ସିଙ୍ଗଡା, ରୁଅ, ପାଣିଆମ୍ବ,
ବଣଲେମ୍ବୁ, କମଳା, ଆଣିବା ।
ଆସରେ ପିଲେ.....।
ନାନା ଫଳମୂଳ ଖୋଜି ଖାଇବା
କିଛି ତୋଳି ଆମେ ସାଥେ ଆଣିବା
ମହୁଲ, କାନ୍ଦୁଲ, ଖଜୁରୀ ଆଦି
ଯାହା ନ ଖାଇଛେ ସବୁ ଚାଖିବା ।
ଆସରେ ପିଲେ.... ।
ବଣରେ ବୁଲି ଅପୂର୍ବ ସୁଗନ୍ଧ
ସବୁ ଆଘ୍ରାଣ କରିବା
କେତେ ବଡ଼ବଡ଼ ମହୁବସା ଆମେ
ଗଛରେ ଦେଖିବା
ଝୁଣା, ଲାଖ ଭଳି କେତେ ଦରବ
ସାଥିରେ ଆଣିବା
ବଣ ମଣିଷ ସାଥିରେ ଆମେ
ମଇତର ବସିବା ।
ଆସରେ ପିଲେ... ।
ବଣର ଗଛ କିପରି ଆମରି ମିତ
ସେ କଥାକୁ ସବୁ ପଚାରି ବୁଝିବା
ତା ପାଇଁ ଆମରି ଜୀବନ ଧାରଣ
ସମ୍ଭବ ହେଉଛି ଆଖିରେ ଦେଖିବା
ଜଙ୍ଗଲର ଅବକ୍ଷୟ କରୁଛି ମଣିଷ
ଗାଆଁ,ସହରବାସୀଙ୍କୁ ବୁଝାଇ କହିବା
ଆସରେ ପିଲେ.... ।
ଖାଲି ଜାଗା ଦେଖି ବୃକ୍ଷ ରୋପିବା
ଖତ, ସାର, ପାଣି ଦେଇ ତାକୁ ବଞ୍ଚାଇବା
ସିଏ ବଞ୍ଚିଲେ ଆମେ ବଞ୍ଚିବା
ସଭିଙ୍କୁ ବୁଝାଇ କହିବା ।
ଆସରେ ପିଲେ ବଣକୁ ଯିବା...।