ଶିଶୁ କବିତା
ଶିଶୁ କବିତା
ଉତୁଲୁ ପୁତୁଲୁ ଦୁଇ ସଙ୍ଗାତ
ଭାବନ୍ତି ସେ ଦୁହେଁ ଦୁହିଁଙ୍କ ମିତ ।
କଉତୁକିଆ ସେ ହରିଣ ପରି
ସାଇପଡ଼ିଶାରେ ଗେଲ୍ହା ସବୁରି ।
ଅଝଟିଆ ପଣେ କାଳିଆ କାହ୍ନୁ
ସତେକି ସରଗ ଉଦୟ ଭାନୁ ।
ମାଆ ବାପାଙ୍କର ମଉଡ଼ମଣି
ଖାଆନ୍ତି ଲୁଚେଇ ସର ଲବଣି ।
ଲବଣି ଖିଆରେ ସାନ ଆଗୁଆ
କମ୍ପୁଟର ଖେଳେ ବଡ଼ ବଢିଆ ।
ଅଜା ଟି ତାଙ୍କର ବଣୁଆ ଦୁଷ୍ଟ
ଆଈ ଟି ଗପୁଡି,ବଡ଼ ଅଝଟ ।
ଅଜା ଆଈ ମେଳେ ଦୁଇ ସଙ୍ଗାତ
ଦିଶନ୍ତି ସତେ କି ମନର ମିତ ।
ହଇରେ ଉତୁଲୁ, ପୁତୁଲୁ ଭାଇ
ହସୁଛ କାହିଁକି ମଉଜ ନେଇ ?
ସୁନା ହରିଣ କି ପାଇ ଯାଇଛ
ଗେଲରେ ହସରେ ଫାଟି ପଡୁଛ !
ହସରେ ତୁମରି ମୁକ୍ତା ଝରୁଛି
ସରଗର ତାରା ଖସି ପଡୁଛି ।
ତୁମେ ମୋ ମନର ମନୁଆଁ ମିତ
ଆସ, ମିଶି ଆମେ ଗାଇବା ଗୀତ ।
ସେ ଗୀତରେ ଥିବ ଆମ ଗାଁ ଗପ
ଗପରେ ଗପରେ ଭାବ ସଲପ ।
ସଲପେ ସଲପେ ଦଉଡି ଯିବା
ସରଗର ଚାନ୍ଦ ତୋଳି ଆଣିବା ।