STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ସଞ୍ଜ ସଳିତା

ସଞ୍ଜ ସଳିତା

1 min
201

ସଞ୍ଜ ନଇଁଗଲେ ଜଳି ଉଠୁଥିଲେ ଦୀପଶିଖାମାନେ

ରାତିକୁ ଚେତାଇବାକୁ ତା ଚେତନାର ପାଠ

ହେଉ ପଛେ କଳା ରଙ୍ଗ ତାର

କେହି କେଉଁଠି ଦେଖୁନାହିଁ ଭାବି ନ ହୁଡୁ ସେ ବାଟ। 


ସମ୍ଭ୍ରମତାର ଓଢଣୀ ଟାଣି

ନଇଁ ନଇଁ ପାଦ ଥାପି ଗୃହଲକ୍ଷ୍ମୀଟିଏ

ଗୋଟେ ପରେ ଗୋଟେ ସଳିତା ରଖି ଆସୁଥିଲା

ଦେଇପିଣ୍ଡିରୁ ବୃନ୍ଦାବତୀ ଯାଏଁ,

ସେଇ ସଞ୍ଜ ସଳିତାରେ ଜଳି ଉଠୁଥିଲା ଦିନେ

ମୁଖର ଜୀବନର ପ୍ରଖର ନିଶ୍ୱାସ

ଚମକି ଉଠୁଥିଲା ଏକ ଆଶ୍ୱାସନାର ନାରଙ୍ଗୀ ଆଲୋକ

ଭରିଦେଇ ଧାନଖଳାରୁ ଠାକୁର ଘର ଯାଏଁ। 


ସେତେବେଳେ ସଞ୍ଜ ଆସୁଥିଲା

ଏକ ମଧୁର ଛନକାଟିଏ ଭରିଦେଇ ସବୁ ହୃଦୟରେ

କେହି ଜଣେ କହୁଥିଲା ବୋଧେ ମୁଁ ଅଛି ଚିନ୍ତା ନାହିଁ ବୋଲି

ଗ୍ରାମଦେବତୀ ମନ୍ଦିରର ଶଙ୍ଖ ଘଣ୍ଟ ଓ ହୁଳହୁଳି ଶବ୍ଦରେ,

ଭାଗବତ ଟୁଙ୍ଗୀରୁ ଭାସି ଆସୁଥିଲା 

ଥକି ଯାଇଥିବା ପଞ୍ଜରା ହାଡ଼ରେ ପ୍ରାଣ ଫୁଙ୍କିଦେଇ

ନବାକ୍ଷରୀ ପଦାବଳୀ ମଧୁର ଛନ୍ଦରେ,

ଲଣ୍ଠନ କାଚ ଭିତରେ ଆବଦ୍ଧ ହେଉଥିଲେ

ଛୋଟ ଛୋଟ ସ୍ଵପ୍ନ ସବୁ ଛବିଳ ମଧୁ ବର୍ଣ୍ଣବୋଧର

ସମବେତ ଉଚ୍ଚାରଣରେ। 


ଆଜିର ଏ ଆଲୋକର ଅସହ୍ୟ କୋଳାହଳ ଭିତରେ

ନା ସେ ସଞ୍ଜର ଘନକୃଷ୍ଣ ଗାଢ଼ତା ଅଛି

ନା ସଳିତାରେ ସେଦିନର ଉଜ୍ଜ୍ଵଳ ଆଭାସ,

ମାଟିଲିପା ଚଉରାର ସେ ମନଚୋରା ଆକର୍ଷଣ ଅଛି

ନା ବିଜୁଳି ଯିବା ଆସିବାରେ ସେ ଉନ୍ମତ୍ତ ଉଲ୍ଲାସ,

ତଥାପି ଅବଶୋଷର କଣ୍ଟା ଚୌକିରେ ବସି ବସି

ବେଳେବେଳେ ଖୋଜିହୁଏ ଯେବେ ସେ ସ୍ନିଗ୍ଧ ଦୀପଶିଖା

କଳ୍ପନାରେ ହେଉପଛେ ମିଳେ ଏକ ଚିହ୍ନା ଚିହ୍ନା ପ୍ରଲୁବ୍ଧ ଉଶ୍ୱାସ।


Rate this content
Log in

Similar oriya poem from Abstract