STORYMIRROR

Rama chandra Pradhan

Abstract Inspirational

3  

Rama chandra Pradhan

Abstract Inspirational

ଆମ ଜେଜେ ମା'

ଆମ ଜେଜେ ମା'

1 min
183

ମା' ପରେ

ଯାହାର ପଣତ କାନି

ପିଲାଙ୍କୁ ଲାଗେ ସବୁଠୁ ପ୍ରିୟ, ସବୁଠୁ ନିଜର

ଯାହାର ସାତଛିଆଁ ଚିରା ପଣତ ପାଲଟିଯାଏ

ଆଶଙ୍କା ଭିତରେ ଭରସାର ରକ୍ଷା କବଚ

ନିରାଶା ହୃଦୟେ ଆଶାର ସେତୁବନ୍ଧ

ଅନ୍ଧକାର ଜୀବନେ ଆଲୋକର ଦୀପଶିଖା

ଆଉ ଅବିଶ୍ୱାସର

ନିର୍ଜନ ଦ୍ୱୀପରେ ବିଶ୍ୱାସର ବତୀଘର

ସେ ଆଉ କେହି ନୁହେଁ

ସେ ହେଉଛି ଆମ ଜେଜେ ମା' I

ବୟସ ଗଡ଼ିଯାଇଥିଲେ ବି

ଯିଏ ଅଣ୍ଟା ସଳଖି ପିଲାଙ୍କ ସହ ପିଲା ହୋଇ ଖେଳେ

ଅଝଟ ହେଲେ ଯିଏ

ମିଠା କଥା କହି ଗେଲ କରେ

ରୁଷିଲେ ରାଗିଲେ ଯିଏ 

ଆତ୍ମୀୟତାର ମୋହ ଲଗାଇ ବୁଝାଇ ଦିଏ

ନିଦ ନ ଆସିଲେ ଯିଏ

ସ୍ନେହଭରା ହାତରେ ଥାପୁଡ଼ାଇ ଦିଏ

ନାନାବାୟା ଗୀତ ଶୁଣାଏ

ବୁଢ଼ୀ ଅସୁରୁଣୀ ଗପ କହେ

ଆଉ ମୁଠି ମୁଠି କରି ଗୋଡ଼ ମୋଡ଼ି ଦିଏ

ସେ ଆଉ କେହି ନୁହେଁ

ସେ ହେଉଛି ଆମ ଜେଜେ ମା' l

ଦିନରୁ ଦିନ ଯିଏ

ପିଲାଙ୍କର ଅଳି ଅର୍ଦ୍ଧଳି ସହିବାରେ ଥକିପଡ଼େ ନାହିଁ

ଘରେ କାହାର ଦେହ ଟିକେ ଅସୁସ୍ଥ ହେଲେ

ଯା' ପାଟିକୁ ଦାନା ଯାଏନି

ଯିଏ କହିବା ଆଗରୁ ପିଲାଙ୍କର ସବୁ କାମ କରିଦିଏ

ପିଲାମାନେ କେତେ ଦୁଷ୍ଟାମୀ କଲେ ବି

ଯିଏ ଜମାରୁ ଗାଳି ଦିଏନା

ସେ ଆଉ କେହି ନୁହେଁ

ସେ ହେଉଛି ଆମ ଜେଜେ ମା'I

ଜେଜେ ମା' କେବଳ

ପିଲାଙ୍କ ପାଇଁ କୌତୁକିଆ ଗପର ପସରା ନୁହେଁ

ସେ ଅନେକ ସମୟରେ ଆପେ ହୋଇଯାଏ

ମା' ବଳି ମା'

ସ୍ନେହ ଠୁ ବଳି ସ୍ନେହୀ

ସାଙ୍ଗ ଠୁ ବଳି ସାଙ୍ଗ

ଆଉ ସବୁ ପରେ ବି ସାହାରା ଠୁ ବଳି ବଞ୍ଚିବାର ରାହାଟିଏ l


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract