ପୋଷ୍ୟପୁତ୍ର
ପୋଷ୍ୟପୁତ୍ର
ଲେଖାକୁ ତୁମର ପୋଷ୍ୟପୁତ୍ର କରି
ବନିବି ମୁଁ ବି କବି
ପ୍ରସବି ପାରୁନି ନିଜ ଭାବନାକୁ
ହୁଏ ପଛେ ଯେତେ ଭାବି ।।
ଲେଖିବାକୁ ପଦେ ଭାରି ଛଟପଟ
କବି ଭାବେ ହେବି ଗଣା
ତୋଠାରୁ ପଦିଏ ତାଠାରୁ ପଦିଏ
ଯୋଡି ଯୋଡି ବାଟବଣା ।।
କଅଣ ଲେଖୁଛି କାହିଁକି ଲେଖୁଛି
ଏତେ କଥା ନପଚାର
ପୋଷ୍ୟପୁତ୍ରକୁ ମୋର ଆଦରି ନେଇ
ଦିଅ ଗୋଟେ ଉପହାର ।।
ଉପାଧି ଗୋଟିଏ ମିଳିଯିବ ଯଦି
ବଢିଯିବ ମୋର ମାନ
ମାନପତ୍ର ଆଉ ଉତରି ଖଣ୍ଡିଏ
ପୋଷ୍ୟପୁତ୍ର ଦେଲା ଜାଣ ।।
ବେଶୀ ଯଦି ଏଠି ଲେଖିବି ମୁଁ ଯଦି
ଗୁମର ମୋ ଫିଟିଯିବ
ହୃଦୟେ ଆଘାତ ଦେଇ ପୋଷ୍ୟପୁତ୍ର
ମୁହଁ ମୋଡି ଚାଲିଯିବ ।।
