କବିତା
କବିତା
ଶବ୍ଦ କିଛି ଥିଲା ଆବଦ୍ଧ
ମୋ ଶବ୍ଦକୋଷରେ
ସଜେଇଦେଲି ତାକୁ
ଚେତନାର ଚାରିକାନ୍ଥରେ
ଚେତନା କହିଲା ଯାଇ
ହୃଦୟ କନ୍ଦରେ
ଗୁନ୍ଥି ଦେ ରେ ତାକୁ
ଅକ୍ଷରର ଖିଅରେ
ଲେଖିଦେଲି ଯେବେ
ଅନ୍ତରାତ୍ମାର ଲେପ ଦେଇ
ଫୁଟିଉଠିଲା ସେ
ଅପରୂପା କବିତା ହୋଇ।
ସାତରଙ୍ଗ ଇନ୍ଦ୍ରଧନୁ ଉଇଁଗଲା
ମୋ ତୃପିର ଆକାଶେ
କିଛି ରଙ୍ଗ ନେଇଆସି
ରଖିଦେଲି ପାଶେ
କଲମ କହିଲା ଭରିଦେ ମୋତେ
ଦେଇ କିଛି ରଙ୍ଗକାଳୀ
ଶୃଙ୍ଗାର କରିବି ମୁଁ କବିତାର
ଦେହେ ବୋଳି
କବିତା ଲାଗେ ଏବେ
ସୁରମ୍ୟା ନବବଧୂ ପରି
ମଲାଟ ଆଡେଇ ଦେଖେ
ଆମୁଖକୁ ମନଭରି।
ପ୍ରଫୁଲ୍ଲିତ ମନେ ପଲ୍ଲବିତ କେତେ
ରଙ୍ଗବେରଙ୍ଗର ଫୁଲ
କିଛି ଫୁଲ ଆଣି ସାଇତିଲି
ଦେବାପାଇଁ ତାର ମୂଲ
ଫୁଲ କହିଲା ଗଢ଼ିଦେ
ନେଇ ଆଭୂଷଣ ମୋର
ପିନ୍ଧେଇବି କବିତାକୁ ଦେଇ
ନାନାବିଧ ଅଳଙ୍କାର
ଅଳଙ୍କାର ପିନ୍ଧି କବିତାଲାଗେ
ନୃତ୍ୟରତା ମୋହିନୀ ପରି
ତା ମୋହରେ ପାଦମୋ
ନାଚେ ଗାଇ ହରିହରି।