ପୂଜା ଫୁଲ
ପୂଜା ଫୁଲ
ପୂଜା ଫୁଲଟିଏ କର ମୋତେ ପ୍ରଭୁ
ପୂଜାରେ ତୁମ ଲାଗିବି
କୋଟି ଜନମର ପୁଣ୍ୟ ହେବ ମୋର
ତୁମରି ଗୁଣ ଗାଇବି ।
ତୁମେ ମୋର ଆଶା ତୁମେ ମୋ ଭରସା
ହେ ପ୍ରଭୁ ରଙ୍ଗାଅଧର
ପୂଜା ଫୁଲଟିଏ କର ମୋତେ ପ୍ରଭୁ
ମେଣ୍ଟୁ ଅରମାନ ମୋର ।
ଶିରରେ ଲାଗେ ବା ପାଦରେ ଲାଗେ ମୁଁ
ଅବା ଲାଗେ ନୈବେଦ୍ୟରେ
ପୂଜା ଫୁଲଟିଏ ହୋଇ ମୁଁ ଲାଗିଲେ
ଶ୍ରଦ୍ଧା ଭକତି ରୂପରେ ।
ହସିବି ମୁଁ ସିନା ଧନ୍ୟ ମୋ ଜୀବନ
ଲାଗିଲା ତୁମ ସେବାରେ
ତୁମ କରୁଣାରୁ ଫୁଟିଛି ମୁଁ ଆଜି
ସେବୁଛି ତୁମ ପୟରେ ।
ହେ ମୋର ଠାକୁର ଶୁଣିବ ମୋ ଗୀର
ତୁମର ମୁଁ ତୁମେ ମୋର
ଦୀନ ଅକିଞ୍ଚନ ଫୁଲଟିଏ ମୁହିଁ
ତୁମେ ମୋ ଜୀବନାଧାର ।
ଅଳପ ଆୟୂଷ ଲଭିଛି ମୁଁ ବିଭୁ
କରିବ ମୋତେ କରୁଣା
ପୂଜା ଫୁଲଟିଏ କରିଦେବ ମୋତେ
ପୂରିବ ମୋର ବାସନା ।
ପୂରିଲେ ବାସନା ସମର୍ପିତ ହେଲେ
ପ୍ରଭୁ ମୁଁ ତୁମରି ପାଶେ
ତୁଟିଯିବ ମୋର ସକଳ ବନ୍ଧନ
ରହିବି ମନ ହରଷେ ।
ଭାବ ବିନୋଦିଆ ମୋ କଳା କହ୍ନେଇ
କିଛି ଲୋଡା ନାହିଁ ମୋର
ଘେନ ନିବେଦନ ତୁମ ପାଇଁ ମୋତେ
ପୂଜା ଫୁଲଟିଏ କର ।
