ଓଢଣୀ
ଓଢଣୀ
ଓଢ଼ଣୀ ଶଦ୍ଦଟି ଶବ୍ଦ ନୁହେଁ ଖାଲି
ଦର୍ଶନର କଥା କୁହେ
ପ୍ରଥା ହେଉ ଅବା ପରମ୍ପରା ହେଉ
ନାରୀକୁ ସୌନ୍ଦର୍ଯ୍ୟ ଦିଏ ।
ଓଢଣୀ ନୁହଁଇ ଫାଙ୍କା ଶବ୍ଦ ଟିଏ
ତା' ଦେହେ ଲେଖା ସଂସ୍କାର
ନବବଧୂ ମୁଣ୍ଡେ ନାଲି ଓଢଣୀଟି
ଦିଏ ଜୀବନ ସନ୍ଦେଶ ।
ନାଲି ଓଢଣୀଟି କାନେ କାନେ କହେ
ସବୁଜ ସମୟ ଗଲା
ନାଲିର ସଂକେତ ନୂତନ ପଥକୁ
ନାରୀ ଆଗେ ଖୋଲି ଦେଲା ।
ସେ ଓଢଣୀ ତଳେ ଲେଖା ହୋଇଥାଏ
କର୍ମ କର୍ତ୍ତବ୍ୟ ସନ୍ଦେଶ
ଶଙ୍ଖା ଚୁଡ଼ି ସଙ୍ଗେ ଓଢ଼ଣୀ ଦିଅଇ
ଆପଣାପଣର ମନ୍ତ୍ର
ଓଢଣୀ ପକାଇ ଯଜ୍ଞବେଦୀ ପରେ
ମିଳେ ଜିଇଁବାର ତତ୍ତ୍ଵ ।
ଓଢଣୀ ପକାଇ ଓଡ଼ିଆଣୀଟିଏ
ଗୁରୁଜନେ ପ୍ରଣମଇ
ଓଢ଼ଣୀ କୁହଇ ଶାଳୀନତା କଥା
ପର ଆପଣା କରଇ ।
ଓଢ଼ଣୀ କୁହଇ ସଂଭ୍ରମତା କଥା
ଐକାନ୍ତିକ ପ୍ରେମେ ଭାସେ
ସେ ପ୍ରେମରେ ନାରୀ ସ୍ନେହଶୀଳା ସାଜେ
ଗୃହେ ମମତା ପରଶେ ।
ଓଢଣୀରେ ଲେଖା ଆମ ଓଡ଼ିଆଙ୍କ
ସସ୍କାରର ଅଭିଲେଖ
ସେ ଅଭିଲେଖକୁ ଯିଏ ପଢ଼ିଅଛି
ପାଇଛି ଅନନ୍ତ ସୁଖ ।
ଗୃହବଧୁ ଯେବେ ଓଢଣୀ ପକାଇ
ଜାଳେ ଚଉରାରେ ଦୀପ
ଦେଖିଦେଲେ ତାକୁ ଶ୍ରଦ୍ଧା ଜାତ ହୁଏ
ଅଦ୍ଭୁତ ସେ ଅନୁଭବ ।
ଯେତେ ଆଭୁଷଣେ ବିଭୁଷଣ ଥିଲେ
ଓଢଣୀ ଆଣେ ପୂର୍ଣ୍ଣତା
ଓଢ଼ଣୀ ସୂଚାଏ ସମ୍ମାନର କଥା
କହେ ସମର୍ପଣ କଥା ।
ଓଢଣୀ ବୁଝାଏ ଜୀବନ ତତ୍ତ୍ଵକୁ
ବୁଝାମଣା ଛନ୍ଦେ ବନ୍ଧା
ବିବାହ ବେଦୀରୁ ପ୍ରତିବଦ୍ଧତାର
ମନ୍ତ୍ରେ ହୁଏ ଅନୁବନ୍ଧା ।
ଓଢ଼ଣୀର ପ୍ରତି ସୂତ୍ରରେ ସୂତ୍ରରେ
ସସ୍କାରର କଥା ଲେଖା
ଜୀବନ ତତ୍ତ୍ଵର ଆତ୍ମିକ ଛନ୍ଦରେ
ଓଢଣୀ ଦିଅଇ ଦୀକ୍ଷା ।
ଓଢ଼ଣୀର ଲେଖା ମାର୍ମିକ ତତ୍ତ୍ଵକୁ
ଯିଏ ବୁଝିପାରି ଅଛି
ତା' ଜୀବନ ଛନ୍ଦ ପତନ ହୋଇନି
ସ୍ୱୟସଂପୂର୍ଣ୍ଣା ହୋଇଛି ।
ଓଢଣୀ କୁହଇ ନିଜର ବେଦନା
ସଭିଙ୍କୁ ଦେଖାଅ ନାହିଁ
କିଏ କେଉଁ ଭାବେ ଗ୍ରହଣ କରିବ
ସେ କଥା ତ ଜଣା ନାହିଁ ।
ଓଢଣୀକୁ କିଏ କେଉଁ ଭାବେ ନେବ
ସେ ଅଟେ ତା' ଦୃଷ୍ଟି ଭଙ୍ଗୀ
ଓଡିଆଣୀ ବୋହୂ ସଙ୍ଗେ ପଡିଅଛି
ଓଢଣୀର ସାତ ଗଣ୍ଠି ।