ପଞ୍ଚୁକ
ପଞ୍ଚୁକ
କୁଆଁରୀ ଶୀତର ମୃଦୁ ପରଶ
କାର୍ତ୍ତିକ ର ଅଗଣାରେ
ରାଶି ରାଶି ମୁରୁଜର
ଚିତ୍ରିତ ଚିତ୍ର ମାନ ଲାଗୁଛନ୍ତି
ଜୀବନ୍ତ ଜୀବନ୍ତ ,
ବାଡ଼ି ଘର ଝକ ଝକ ସଫା
ପୁଣ୍ୟ ମାସ ଧର୍ମ ମାସରେ
ସାଉଁଟି ଆଣିବାକୁ
ବିଭୁ କୃପା ବିନ୍ଦୁ
ନିଷ୍ଠା ରେ ନାହିଁ ଅନ୍ତ ।
ମାସର ଏ ଶେଷ କେଇଦିନ
ପଂଚୁକ ର ପାଞ୍ଚ ବାର
କେହିକରେ ଆବେଗରେ
ମନ , ପ୍ରାଣ ,ଚିତ୍ତ କୁ ନିବେଶି,
ପ୍ରାତଃ ସ୍ନାନ , ତୁଳସୀ ତର୍ପଣ
ଠାକୁର ଦର୍ଶନ, ମାହାତ୍ମ୍ୟ ପଠନ
ମଣିଷ ତ ଛାର ପଶୁ ପକ୍ଷୀମାନେ ମଧ୍ୟ
କଳରବ କରୁଛନ୍ତି ଆସି ।
ଚଉଁରା ମୂଳର ସନ୍ଧ୍ୟା ଦୀପ
ଦିକି ଦିକି ଜଳୁଥାଏ ଭକ୍ତିଭରା
ଅସ୍ତିତ୍ୱ ଜାହିର କରି ,
ଏ ପୂଜାରେ ଥାଏ ସଭିଙ୍କର
ଅଛି ଅଧିକାର , ପଞ୍ଚୁକ ରେ
ପଞ୍ଚ ପ୍ରାଣ ଅମୃତ ଉନ୍ମେଷେ ଯାଏ ଭରି ।
ସାରା କାର୍ତ୍ତିକ ର ପୁଣ୍ୟଫଳ
ସାଇତି ରଖିବେ ଏଇ ଜନ୍ମର
ଶେଷ ସମୟ ଭଲରେ କଟିବ ,
କିଛି ଥିଲେ ସେଥିରୁ ସାଇତା
ଆଗାମୀ ଜନ୍ମରେ କାମରେ ଲାଗିବ ।
ଘର ପରିବାର ,ପତିପୁତ୍ର
ସଭିଙ୍କର ଶକୁଶଳ କାମନାରେ
ପ୍ରଣତି ବାଢ଼ଇ ମାଆ ଟିଏ ,
ଦୁଃଖ ସବୁ ଦେଲେ ଦିଅ ମତେ ପ୍ରଭୁ
କାହା ପାଦରେ ନ ଫୁଟୁ କଣ୍ଟାଟିଏ ।
କରୁଥାଏ ନିବେଦନ
ସକାଳ ସଂଜରେ ବାରବାର ,
ଅସହଣୀ, ଅସରଣୀ ଏଇ
ମାନବ ଜନ୍ମରୁ
ଦିଅ ପ୍ରଭୁ ମୁକ୍ତି
ମତେ କର ଉଦ୍ଧାର ।
