ପଣତ କାନି
ପଣତ କାନି
ସକାଳୁ ଉଠି ମୁହଁ ମୁଁ ଧୋଇ
ଧାଇଁ ଥାଏ ଏକ ମୁହାଁ ମୁଁ ହୋଇ
ନ ଖୋଜେ ଗାମୁଛା ଅବା ମୁଁ ଓଢଣୀ
ଲୋଡେ ମୁଁ ବୋଉ ର ପଣତ କାନି ।।
ବାପାଙ୍କ ଠୁଁ ଯେବେ ଖାଏ ମୁଁ ଗାଳି
ରାଗ ଅଭିମାନ ମନରେ ବୋଳି
ଝରାଇ ଆଖି ଓ ନାକରୁ ପାଣି
ଖୋଜେ ମୁଁ ବୋଉର ପଣତ କାନି ।।
ସ୍କୁଲ ଯିବା ବେଳ ହୋଇଲେ ଆସନ୍ନ
କଳାଟିପା ପାଇଁ ବୋଉ ଯେ ଉଚ୍ଛନ୍ନ
ପାଉଡର ବୋଳା ମୁହଁ କୁ ମୋ'ର
ସଜାଡେ ପଣତ କାନି ରେ ତା'ର ।।
ଧୂଳି ଝାଳ ବୋଳା ଘର ଲେଉଟାଣି
ତା ସହ ବୋଉର କଡା ଚାହାଣୀ
ଦେହର ଧୂଳି ଓ ମନର ଡରକୁ
ପୋଛଇ ଯତନେ ପଣତେ ତାକୁ ।।
ମାଡିଆସେ ଯେବେ ନିଦ ଗହନ
ଗପ ଶୁଣିବାକୁ ଥାଏ ଯେ ମନ
ଡରେ ଶୁଣି ଯେବେ ଅସୁର କାହାଣୀ
ଘୋଡିଥାଏ ତାର ପଣତ କାନି ।।
