ପଳାତକ
ପଳାତକ
ଜୀବନ ଯୁଦ୍ଧ ର ପଳାତକ ତୁମେ
ଅନ୍ଧ ଗଳି ର ଯାତ୍ରୀ
ଜୀବନର ମୂଲ୍ୟ ନ ବୁଝିଛ ଯଦି
ମରଣେ କି ଅଛି ମୁକ୍ତି ।
ବଞ୍ଚିବାର ମାନେ ଜୀବନ ସଂଗ୍ରାମ
ହାରିବା ଜିତିବା ଖେଳ
ହାରିବା ଭିତରେ ଲୁଚିରହି ଥାଏ
ଜିତିବାର କଉଶଳ ।
ଇଚ୍ଛା ସାଜେ ନାହିଁ କାମଧେନୁ କେବେ
ସୁଖ ଆପେ ମିଳିଯିବ
ସଂସାର ସମୁଦ୍ର ମନ୍ଥନ ନ କଲେ
ସୁଖ କିବା ପ୍ରାପ୍ତ ହେବ ।
ଦୟା କ୍ଷମା ଶାନ୍ତି ଧାର୍ଯ୍ୟ ସହିଷ୍ଣୁତା
ପଞ୍ଚ ଗୁଣ ଥିଲେ ରହି
ଯେତେ ଝଡ଼ ଖଞ୍ଜା ଆସିବ ଜୀବନେ
ଆପେ ଆପେ ଯିବ ବହି ।
ଇନ୍ଦ୍ରିୟ ସଂଯତ କରି ପାରେ ଯିଏ
ଷଡରିପୁ ହୁଏ ଜୟ
ନୀରବ ଧ୍ୟାନ ରେ ସମାଧି ଆସନେ
ପ୍ରବୃତ୍ତି ର ପରାଜୟ ।
ଆତ୍ମ ହତ୍ୟା କେବେ ନୁହେଁ ଶ୍ରେୟ ପଥ
ସମସ୍ୟାର ସମାଧାନ
ନିଜେ ତ ମରିବୁ ମରଣ ଯନ୍ତ୍ରଣା
ଭୋଗିବେ ତୋ ପ୍ରିୟ ଜନ ।
କୋଟି ପୁଣ୍ୟ ବଳେ ମଣିଷ ଜନମ
ଅଟେ ଈଶ୍ୱରଙ୍କ ଦାନ
ଜୀବନ ଯୁଦ୍ଧ ରୁ ପଳାତକ ହେଲେ
ନର୍କେ ବି ମିଳେନି ସ୍ଥାନ ।
