ପକ୍ଷୀଟିଏ ମୁଁ
ପକ୍ଷୀଟିଏ ମୁଁ
କେଉଁ ଦେବତାର ଆଶିଷ ଲଭି ମୁଁ
ପାଇଛି ପକ୍ଷୀ ଜନମ
ଜଳ,ସ୍ଥଳ,ବନ,ଗିରି କି ଆକାଶ
ଉଡି ଦେଖେ ଚାରିଧାମ।
ଛୋଟ ସିନା ଦେହ ଅମାପ ଶକତି
ଭରି ରହିଛି ମୋ ଦେହେ
ଉଡି ଉଡି ମୁଁ ଯେ ସାରା ଜଗତକୁ
ଗୋଟିଏ ବାରତା କହେ ।
ସତ୍-ଚିତ୍-ଆନନ୍ଦ ଦେହେ ଅଛି ଆମ
ସୃଷ୍ଟିକୁ କର ସୁନ୍ଦର
ପ୍ରତିଟି ମୂହୁର୍ତ୍ତ ହେଉ ସମର୍ପିତ
ବିଭୁଙ୍କ ପଦେ ଆମର।
ଜୀବନ ଧାରଣ ହୋଇବ ସଫଳ
ହେଲେ ଖୁସି ଦୟାନିଧି
ସାରା ଦୁନିଆକୁ ପ୍ରେମର ଡୋରରେ
ଦେଇଛନ୍ତି ପରା ବାନ୍ଧି ।
ଆନନ୍ଦିତ ଦେଖି ଫୁଲ ବଗିଚାକୁ
ପାଚିଲା ଫଳେ ମୋ ମନ
ପ୍ରକୃତିର ଶୋଭା କେଡେ ମନଲୋଭା
ଜିଣିଛି ତିନି ଭୁବନ।
ଥରାଏ ମୋ ଛାତି ବାଣୁଆର ବାଣ
ଝରଇ ରକତ ଧାର
କେତେ ବା ମାଉଁସ ମିଳେ ମୋ ଦେହରୁ?
ଶୋଚନା ନ ଥାଏ ତା'ର ।
ବୁଜିବା ଆଗରୁ ଆଖି ଦୁଇ ମୋର
କହେ ମଣିଷ ଭାଇକୁ
ତେଜି ମନୁ ହିଂସା,ବଢାଅ ଶରଧା
ଜୀବରେ ଦେଖ ଶିବଙ୍କୁ।
ପଦ୍ମଜା ପତି
ବୌଦ୍ଧ
