STORYMIRROR

Sambit Srikumar

Abstract Inspirational

4  

Sambit Srikumar

Abstract Inspirational

ପଖାଳ

ପଖାଳ

1 min
286


କି' କହି ବର୍ଣ୍ଣିବି ମୁହିଁ ତୋ'ର କାହାଣୀ 

ଯେତେ କହିଲେ ବି ଗାଥା ସରିବ ନାହିଁ 

ସକଳ ଖାଦ୍ୟରେ ତୁହି ଅଟୁ ଯେ' ସାର

ତୋ' ସାଥିରେ କା'ର ତୁଳନା କାହିଁ ? 


କ୍ଷୁଧା ତୃଷାରେ ହୋଇ ଡହଳବିକଳ 

ଉଡ଼ିବାକୁ ଲାଗଇ ଯେବେ ହଂସା

ଜୀବନ ବଞ୍ଚାଇବାକୁ ଦିଶେ ଏକଇ ପନ୍ଥା 

ତୁହି ତ ମୋହର ପ୍ରିୟ ପଖାଳ କଂସା!!


ଦିବସର ତମାମ ମାନ ଅପମାନ ଗୁମାନ 

ଲଭନ୍ତି ସଲିଳ ସମାଧି ତୋରି ସାନିଧ୍ୟରେ 

ତୋ ମଧୁର ପରଶେ ଜଠରାଗ୍ନି ହେଲେ ପ୍ରଶମିତ

ମୁହିଁ ଶୋଇଯାଏ ଅଚିନ୍ତା ଅଖଣ୍ଡ ନିଦ୍ରାରେ!! 


ଜୀବନ ଯାତ୍ରାରେ ତୁହି ଯେ' ବିଶ୍ବସ୍ତ ସାଥି 

ତୋହରି ବିନା ମୋର ଜୀବନ ଅଧୁରା 

ଏଇ ମହରଗ ଅଭାବୀ ଦୁନିଆରେ ଏକା 

ତୁହି ସୁଖ ଶାନ୍ତିର ଅସରା ପସରା!! 


ନ' ତିଅଣ ଛ' ଭଜାର ନାହିଁ ଆଡ଼ମ୍ବର 

ଶାଗ ପଖାଳର ମୋ ସୁଖୀ ସଂସାର 

ତୋରାଣି ମୁନ୍ଦେ ଅଟଇ ଅମୃତ ମୋହର 

ଆନର ପଲାଉକୁ କାହିଁ ଦେବି ମୁଁ ନଜର ? 


ପ୍ରତିଟି ଓଡ଼ିଆ ପ୍ରାଣର ତୁହି ଯେ' ସ୍ପନ୍ଦନ 

ନିଦାଘ ଡହକେ ଯଥା ଶୀତଳ ଚନ୍ଦନ 

ଧନୀ ଗରିବ ଠୁ ପୁଣି ରାଜାଧିରାଜେଶ୍ବର 

ସଭିଙ୍କ ପାଶେ ତୁ ପାଉ ଅଶେଷ ଆଦର!! 


ଓଡ଼ିଆ ଜାତିର ତ ତୁହି ଚାରୁ ଅଳଙ୍କାର 

ଅଟୁ ସ୍ବାଭିମାନୀ ମଣିଷର ସ୍ପର୍ଦ୍ଧିତ ସ୍ବର 

କାଳେ କାଳେ ରହିଥିବ ନାମ ତୋହର 

ମହନୀୟ ସଂସ୍କୃତି ପରମ୍ପରାର ତୁହି ଆଧାର!! 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract