ପିଲାଦିନର ଆଇ ମା କାହାଣୀ
ପିଲାଦିନର ଆଇ ମା କାହାଣୀ
ପିଲାଦିନେ ଅନେକ କାହାଣୀ ଶୁଣିଛି। କିଛି ମନେ ଅଛି। କିନ୍ତୁ ବହୁ କାହାଣୀ ଆଉ ମନେ ନାହିଁ। ମୋ ଆଇ ମା କେମିତି କା ମହିଳା ମୁଁ ଜାଣିନି। କାରଣ ମୁଁ ଟିକେ ବଦମାସୀ କଲା ବେଳକୁ ସେ ଆରପାରିକୁ ଚାଲି ଯାଇଥିଲେ। କିନ୍ତୁ ମୋ ଆଇ ମା ର ସ୍ଥାନ ମୋ ବୋଉ ହିଁ ତୁଲାଇ ଥିଲେ। ବହୁ ସୁନ୍ଦର ସୁନ୍ଦର ଗପ କହି ମୋତେ ଭୂଲାଉ ଥିଲା। ବେଶୀ କିଛି ପାଠ ନ ଥିଲା। ବରଂ ଘରକରଣା ଓ ପରିବାର ପ୍ରତି ମୋ ବୋଉର ନିଷ୍ଠା ଥିଲା। ବିରକ୍ତି ଭାବ ମୁଁ ତାଙ୍କ ଠାରେ କେବେ ଦେଖିନି। ମୁଁ ଗପ ଶୁଣେ ପ୍ରାୟତଃ ସଂଜ ସମୟରେ। ତାଙ୍କ ଠାରୁ ଶୁଣି ଥିବା କିଛ କଥା ଏଠାରେ ବର୍ଣ୍ଣନା କରିବାକୁ ଉଚିତ ମନେ କରୁଛି।
ଦଳେଇ ଘାଇ ଭାଙ୍ଗି ଯାଇଛି ବନ୍ୟାର ଜଳରେ। ଗାଆଁ ଠୁ ସହର ରେ ପାଣି ପଶି ଯାଇଛି। ବୋଉ କହିବା ଅନୁଯାୟୀ ଆମ ଗାଁରେ ପାଣି ପଶି ଗାଆଁ ଦାଣ୍ଡ ଚିଲିକାର ଭ୍ରମ ସୃଷ୍ଟି କରିଥାଏ। ଲୋକ ମାନେ ଯିଏ ଯାହାର ଘରେ ଶୋ ଇଛନ୍ତି। ଅର୍ଦ୍ଧ ରାତ୍ରରେ ଏହା ଘଟିଛି। ଏହା ଥିଲା ୧୯୫୫ମସିହା ର କଥା। ଗାଆଁ ଲୋକେ କିଛି ଜାଣି ନାହାନ୍ତି। ଆମ ଗାଆଁ ର ଏତେ ପୁଣ୍ୟ ବଳ ଥିଲା ଯେ ରାତି ପାହି ସକାଳ ହେଲା ବେଳକୁ ଗାଆଁ ଦାଣ୍ଡରୁ ପାଣି ବାହାରି ଚିଲିକା ରେ ପତିତ ହୋଇଛି। ଜନ ଜୀବନ ସୁରକ୍ଷିତ ରହିଛି।
ବୋଉ ମୋର ଆଇ ମାଆ ଭଳି ଯେଉଁ କାହାଣୀ ମୋତେ ଶୁଣାଇଛି ସେସବୁ ତାହାର ଅଙ୍ଗେ ନିଭା କଥା, ନିଜର ଅନୁଭୂତି ଓ ସତସତିକା କଥା। ମନ ଗଢା କିଛି ନ ଥିଲା। ସେମିତିକା ଅନ୍ୟ ଏକ କଥା ମୁଁ ଏବେ ବି ମନେ ରଖିଛି। କେତେ ରାତି ହେବ କେଜାଣି, ବୋଉ କୋଳରେ ମୁଁ ଶୋଇଛି। ହଠାତ୍ ବୋଉ ତାର ଗାଉଁଲି ସ୍ଵରରେ କାହାକୁ ବାହୁନି ହୋଇ କାନ୍ଦୁ ଥିଲା। ସେତେବେଳକୁ ମୋ ନିଦ ଭାଙ୍ଗି ସାରିଥିଲା। ମୁଁ ବୋଉକୁ ଜାବୁଡ଼ି ଧରଲି। କିଛି ବୁଝି ପାରିଲି ନାହିଁ। ଏସବୁ କାହିଁକି ହେଉଛି? ହଠାତ୍ କାହାର ଉଚ୍ଚ ଡାକରେ ବୋଉର କାନ୍ଦଣା ବନ୍ଦ ହୋଇ ଗଲା। ସେ ଥିଲେ ମୋର ସାଆନ୍ତ ବାପା ଅନନ୍ତ ଜେନା, ସେତେବେଳର ଗାଆଁ ର ମୂରବୀ ଓ ସମଗ୍ର ଗାଆଁ ର ହାନି ଲାଭ କଥା ବୁଝୁ ଥିଲେ। ସେହି ଦିନଠାରୁ ଆଉ ରାତିରେ କେବେ ମୋ ସାଆନ୍ତ ବାପା ଥିବା ପର୍ଯ୍ୟନ୍ତ ମୋ ବୋଉ କାନ୍ଦିବା ର ମୁଁ ଜାଣିନି। ମୋ ପାଖରେ ମୋ ବୋଉ ନାହି କି ମୋ ସାଆନ୍ତ ବାପା ବି ନାହାଁନ୍ତି। କିନ୍ତୁ ବୋଉ ଠାରୁ ଶୁଣି ଥିବା ସତସତିକା କାହାଣୀ କେବଳ ମୁଁ ସାଇତି ରଖିଛି। ସେଇ ସଂସ୍କାର ମୋ ପାଇଁ ବଡ ମନେ ହେଉଛି।
