ପିଲାଦିନ ମାମୁଁଘର
ପିଲାଦିନ ମାମୁଁଘର
ନଈ ଆରପାରି ମାମୁଁଘର ମୋର
ଦିଶୁନାହିଁ ଚିହ୍ନବର୍ଣ୍ଣ
ନଦୀର ଗର୍ଭରେ ପ୍ରିୟ ଭିଟାମାଟି
ହୋଇ ଯାଏ କ୍ରମେ ଲୀନ ।
ଅଜା ଆଇ ମାମୁଁ ମାଇଁଙ୍କ ଶରଧା
ମନେପଡେ ପିଲାଦିନ
ବିତାଇଛି କେତେ ମଧୁର ସମୟ
ଖୁସିର ମୂହୁର୍ତ୍ତମାନ ।
ଘର ଅଗଣାରେ ତୁଳସୀ ଚଉଁରା
ପିଜୁଳି ଓ ବରକୋଳି
ମାମୁଁଘର ତୋଟା ଭାରି ସୁଶୀତଳ
ମିଠା କୋଇଲିର ବୋଲି ।
ଆସୁଥିଲେ ଯେବେ ମାମୁଁ ପ୍ରବାସରୁ
ଲାଗୁଥିଲା ବଡ ଖୁସି
ନାଲି ସବୁଜିଆ ଶୁଆ ଥଣ୍ଟ ପରି
ଧରି ନୂଆ ଜାମା ଗଞ୍ଜି ।
ଉଠୁଥିଲା ନାଚି କଅଁଳ ମୋ ମନ
କରିଦେଲେ ମାମୁଁ କୋଳ
ହାତ ପାହାନ୍ତାରେ ଲାଗୁଥିଲା ଜହ୍ନ
ମୁଁ ସ୍ବପ୍ନ ରାଜକୁମାର ।
ଉଡୁଛି ତ୍ରିରଙ୍ଗା ଦିଗନ୍ତ ଆକାଶେ
ଦୂର ଜହ୍ନ ରାଇଜରେ
ସଜଳ ମୋ ସ୍ମୃତି ଆଙ୍କିବି ସଯତ୍ନେ
ସମୁଜ୍ଜ୍ୱଳ ସ୍ବର୍ଣ୍ଣାକ୍ଷରେ ।
