ପଇଡ଼ ଭିତରେ ପାଣି
ପଇଡ଼ ଭିତରେ ପାଣି
ପଇଡ଼ ଭିତରେ ପାଣି ରହିଅଛି
ଉପର ଦିଶେ କଠିନ
ପାଣି ଶୁଖିଗଲେ ଶ୍ରୀଫଳ ହୁଅଇ
ସୃଷ୍ଟି କର ଅନୁମାନ।
ବାଇଚଢ଼େଇର ବସା ଦୋହଲୁଛି
କି ସୁନ୍ଦର ତାର ନୀଡ଼
ଯେତେ ବହୁ ବାଆ ଅକ୍ଷତ ରହଇ
ସହିପାରେ ସବୁ ଭିଡ଼।
ସଂବାଳୁଆ ଦିନେ ନିଜ କୋଷେ ରହି
ପ୍ରଜାପତି ବନି ଯାଏ
କିସମ କିସମ ରଙ୍ଗ ବେରଙ୍ଗର
ଡେଣା ମେଲି ଉଡୁଥାଏ।
ପକ୍ଷକ ବଢ଼ଇ ପକ୍ଷକ ଛିଡଇ
ଜହ୍ନମାମୁଁ ଆକାଶରେ
ପୂର୍ଣ୍ଣିମାର ଚାନ୍ଦ ସରସତା ଆଣେ
ଜୁଆର ଯେ ପାରାବାରେ।
ନିରେଖି ଦେଖିଲେ ବିଧାତାଙ୍କ ପାଖେ
ମଥା ହୁଏ ସଦା ନତ
ତାଙ୍କରି ସୃଷ୍ଟିରେ ସବୁତ ଅନନ୍ୟ
ଆଉ ଯେତେ ପରାହତ।
