ଫୁଲେଇ ଫଗୁଣ
ଫୁଲେଇ ଫଗୁଣ
ଫଗୁଣ,
ତୁ ଆସିଲେ ପ୍ରକୃତି ରାଣୀ ତୋ ଶୋଭାରେ ଶୋଭିତ ହୁଏ
ତୁ ଆସିଲେ ତୋ ମନଲୋଭା ସୌନ୍ଦର୍ଯ୍ଯର ପଶରା ମେଲେ
ତୁ ଆସିଲେ ବାସନ୍ତୀ ପବନରେ ଧରାପୃଷ୍ଠ ମଧୁମୟ ହୁଏ
ତୁ ଆସିଲେ ତୋ ମହନୀୟ ପ୍ରେମେ ମନ ପ୍ରେମପ୍ଳୁତ ହୁଏ
ତୁ ଆସିଲେ ବାସ୍ନାୟିତ ବକୁଳର ମହମହ ବାସ୍ନା ଚହଟେ
ତୁ ଆସିଲେ ମୃଦୁ ମଳୟର ମହକ ଚଉଦିଗ ଛୁଟେ
ତୁ ଆସିଲେ ତୋ ଆଗମନେ ପ୍ରକୃତି ନବପଲ୍ଲବିତ ହୁଏ
ତୁ ଆସିଲେ ତୋ ପ୍ରଲୁବ୍ଧ ସୁନ୍ଦରତାରେ ମନମୁଗ୍ଧ ହୁଏ
ତୁ ଆସିଲେ ତୋ ମନମତାଣିଆ ଭାବରେ ପ୍ରାଣ ବିହ୍ଵଳିତ ହୁଏ
ତୁ ଆସିଲେ ଗ୍ରୀଷ୍ମର ପ୍ରକୋପ ଉଭେଇଯାଏ
ତୁ ଆସିଲେ ଶ୍ରାବଣର ବାରିଧାରା ବନ୍ଦ ହୁଏ
ତୁ ଆସିଲେ ହେମାଳ ପବନ ସିକ୍ତ ସୁମଧୁର ହୁଏ
ତୁ ଆସିଲେ ଶରଦ ଶିଶିର ମୁକ୍ତା ସମ ଲାଗେ
ତୁ ଆସିଲେ କୋଇଲିର କୁହୁ କୁହୁ ତାନ ଶୁଭେ
ତୁ ଆସିଲେ ନିଦାଘ ଗ୍ରୀଷ୍ମର ପରିବେଶ ସୁଶୀତଳ ହୁଏ
ତୁ ଆସିଲେ ଏ ଉଦାସି ମନ ନବ ବସନ୍ତ ପାଲଟିଯାଏ
ତୁ ଆସିଲେ ଏ ନିରସ ଦେହ ନବ ବାସନ୍ତୀ ସାଜେ
ତୁ ଆସିଲେ ପଳାସର ରଙ୍ଗଛିଟା ମନକୁ ଟାଣିନିଏ
ତୁ ଆସିଲେ କୃଷ୍ଣଚୂଡ଼ା ମନ ରାଧାଚୂଡା ପ୍ରତି ଆକୃଷ୍ଟହୁଏ
ତୁ ଆସିଲେ ମଧୁମାଳତୀ ଲାଜେଇ ଭୂମିରୁ ଗଗନ ଛୁଏଁ
ତୁ ଆସିଲେ ଚମ୍ପା ଚାମେଲି ବାସରେ ବସନ୍ତ ମୁରୁକି ହସେ
ତୁ ଆସିଲେ ଫୁଲରେ ବନ ଉପବନ ବସନ୍ତ ଋତୁକୁ ସଜାଏ
ତୁ ଆସିଲେ ତୋ ରଙ୍ଗବେରଙ୍ଗର ଫଗୁ ରଙ୍ଗ ଚଉଦିଗ ଉଡ଼େ
ତୁ ଆସିଲେ ଫାଲଗୁନ ପୂର୍ଣ୍ଣିମା ଫଗୁ ଅବିରର ରଙ୍ଗାୟିତ ହୁଏ
ତୁ ଆସିଲେ ମଦନ ମୋହନ ବିଜେ ହୁଅନ୍ତି ଦୋଳବିମାନରେ
ତୁ ଆସିଲେ ରାଧାକୃଷ୍ଣ ଶୋଭାପାଆନ୍ତି ପଲ୍ଲବ ଦୋଳିରେ
ତୁ ଆସିଲେ ନିଦ ଖୋଲେ ଦୋଳ ଯାତ୍ରାର ଗହଳିରେ
ତୁ ଆସିଲେ ଭଲଲାଗେ ତୋ ମାଦକତା ଜୋଛନା ଭରା ରାତି,
ତୁ ଆସିଲେ ମନେପଡେ ମେଳନ ପଡ଼ିଆର ମଧୁର ସ୍ମୃତି
ତୁ ଆସିଲେ ଅଙ୍କୁରିତ ହୁଏ ସ୍ନିଗ୍ଧ ସବୁଜ ଅନୁଭୂତି
ତୁ ଆସିଲେ ଆବେଗମୟ ହୋଇଉଠେ ଅଭୁଲା ପ୍ରୀତି ।