କେଦାରଗୌରୀ ଉପାଖ୍ୟାନ
କେଦାରଗୌରୀ ଉପାଖ୍ୟାନ
ବହୁଦିନ ତଳେ ପ୍ରଦେଶ ଉତ୍କଳେ
ଥିଲା ଜଣେ ସୁକୁମାର,
ରୂପେ ରତିପତି ଗୁଣରେ ଯୁଧିଷ୍ଠି
ନାମ ତା ଥିଲା କେଦାର ।
ଅତି ସୁକୁମାରୀ ନାମଟି ଗଉରୀ
ଷୋଡ଼ଶୀ ସୁନ୍ଦରୀ ବାଳା,
ଆଖିରେ ପୀରତି ଦେହେ ପ୍ରଜାପତି
ମନରେ ଖେଳେ ଚପଳା ।
ଘନ ସୌଦାମିନୀ ମୃଗାଙ୍କ ରଜନୀ
କମଳ ତପନ ସମ
କେଦାର ଗଉରୀ ଦୁହିଁଙ୍କର ଭାରି
ଗଭୀର ହୋଇଲା ପ୍ରେମ ।
ପୀରତି ଗୋପନ ରହେ କି ମଉନ!
ଜାଣିଲେ ପାଖ ପଡିଶା,
ଦାଣ୍ଡରେ ପଡ଼ିଲା ହାଟରେ ଗଡିଲା
ଦିହିଙ୍କର ମିଳାମିଶା ।
ଜାତି ଭିନ୍ନ ଭିନ୍ନ ଉଚ୍ଛନ୍ନ ଯୌବନ
ଦୁହେଁ ପ୍ରେମେ ଉବୁଡୁବୁ,
ସମାଜ ଶୃଙ୍ଖଳ ପ୍ରେମ ପାଇଁ କାଳ
କରି କି ପାରିବ କାବୁ ?
ଦୁହେଁ ହାତଧରି ଗାଆଁରୁ ବାହାରି
ଚାଲିଗଲେ ବହୁ ଦୂର,
ନାହିଁ ଜମା ଡର ଆଉ ବା କାହାର
ସାହା ଯେ ପରମେଶ୍ୱର ।
ମନ ସିନା ଖୋଲା ପେଟ ତ ଭୋକିଲା
କି ଖାଇ ରଖିବେ ପ୍ରାଣ?
କହିଲା କେଦାର ଟିକେ ଧୈର୍ଯ୍ୟ ଧର
କରୁଛି ମୁଁ ଅନ୍ୱେଷଣ ।
ଖାଦ୍ୟ ଖୋଜି ବନେ କେଦାର ସେଦିନେ
ଏଣେତେଣେ ଘୁରିବୁଲେ,
ଗଉରୀ ବିଚାରୀ ବାଟ ଚାହିଁ ତାରି
ବସିଛି ପାଦପ ତଳେ ।
ତନ ଶଙ୍କିଗଲା ସହସା ଶୁଭିଲା
ମହାବଳ ଗରଜନ,
ଧାଇଁଲା ଅବଳା କି ଅବା ହୋଇଲା
କାହିଁ ଥରୁଅଛି ମନ ?
ଦେଖିଲା ନୟନ ଦେହ ପ୍ରାଣହୀନ
ଠାବେ ଠାବେ ରକ୍ତ ଚିହ୍ନ,
ବାଘର ଆହାର ହୋଇଛି କେଦାର
ଗଉରୀ କରେ ରୋଦନ ।
ଯେତେ ଯାହା କଲେ ଲୁହ ଝରାଇଲେ
ଫେରିବ କି ଗଲା ଜନ?
କାହାକୁ ଅନାଇ ବଞ୍ଚିବି ଯେ ମୁହିଁ
ବୁଝୁନି ଅବୁଝା ମନ ।
ପାଖ ପୁଷ୍କରିଣୀ ଭରପୁର ପାଣି
ଦେଖିଲା ନିଆସି ଆଖି,
ଡେଇଁଲା ପ୍ରେୟସୀ ଆତ୍ମା ହେଲା ଖୁସି
ପ୍ରେମ ରହିଗଲା ସାକ୍ଷୀ ।
ଅତିନ୍ଦ୍ରୀୟ ଦେଶେ ବର ବଧୂ ବେଶେ
ଦୁଇ ଆତ୍ମା କଲେ ଘର,
ଆଉ ସେଇ ପୁରେ ପ୍ରେମ ବିରୋଧରେ
ତୋଳିବେନି କେହି ସ୍ଵର ।
ଉତ୍କଳର ଇନ୍ଦୁ ରାଜା ଲଲାଟେନ୍ଦୁ
କେଶରୀ ମଉଡମଣି
ଗଢିଲେ ମନ୍ଦିର ଅତୀବ ସୁନ୍ଦର
ପୁରାଣ କାହାଣୀ ଶୁଣି ।
କେଦାର ଗଉରୀ ଭରଷା ସବୁରି
ଠିକଣା ଭୁବନେଶ୍ୱର,
ପ୍ରେମୀ ମାଗେ ଭିକ୍ଷା ପ୍ରେମକୁ ସୁରକ୍ଷା
ଦିଅ ହେ କେଦାରେଶ୍ୱର ।