ବସନ୍ତ ମେଲାଣି
ବସନ୍ତ ମେଲାଣି
1 min
385
ବସନ୍ତ ଗୋ ତୁମେ ନଆସ ଏଥର
ସାଇତା ସ୍ମୃତିକୁ ନେଇ
ନ ବାଢ ମୋ ଆଗେ ବିଗତ ବେଳାକୁ
ଜମକ,ଉପମା ଦଇ ।
କୋଇଲି ର ସୁରେ ନଗାଅ ସେ ଗୀତି
ଯାଇଅଛି ଯାହା ବିତି
ତା ପଞ୍ଚମତାନେ କମ୍ପହୁଏ ମନେ
ବଢିଯାଏ ଦେହ ତାତି ।
ଜହ୍ନ ଆଲୁଅରେ ଅତୀତ ଦେହରେ
ନ ଦେଖା ଆଉ ସେ ଛବି
ନ ହେଲେ ଯେ କେତେ ଯାମିନୀ ଯାପିବି
ବିତିଥିବା କଥା ଭାବି ।
ତୁମ ଉପହାର ତୁମ ପାଖେ ରଖ
ନ ଦିଅ ସେ ବାସ ମଲ୍ଲି
ସେ ବାସ ଆଘ୍ରାଣେ ଦୁଃଖ ହୁଏ ମନେ
ବିଗତପଲକ ଭାଲି ।
ନ ବିଞ୍ଚ ଆଉ ସେ ଧିର ମଳୟରେ
ଶିହରଣ ଖେଳେ ଦେହେ
ବିରହ ର ତାତି ହରିବାକୁ ମୋର
ପାଖରେ ଅଛି ବା କିଏ ? ।
ନ ଲଗାଅ ଆଉ ସେ ରଙ୍ଗ ଅବିର
ନେଇଯାଅ ତାକୁ ଦୂରେ
ଦେବ ଯଦି ଦିଅ ଶୀତଳ ଚନ୍ଦନ
ହେମନ୍ତ ଆସୁ ଶରୀରେ ।
ବସନ୍ତ ଏଥର ମେଲାଣି ନିଅଗୋ
ଛାଡିଦିଅ ମତେ ଏକା
ସାଥେ ନେଇଯାଅ ସେ ସ୍ମୃତିର ଆଇନା
ପୁଣି ଆଉ କେବେ ହେବ ଦେଖା ।।