ଶେଫାଳୀ
ଶେଫାଳୀ
ଦୁନିଆଁଟା ଶୋଇଗଲେ ଛାଇଗଲେ ଅନ୍ଧାର
ବାତାୟନ ଭେଦିଆସେ ସ୍ନିଗ୍ଧବାସ ତୋହର ।
ଶୁଭ୍ର ସାତ୍ତ୍ଵିକ ଦେହେ ଏତେ ଦିବ୍ୟ ସୌରଭ
ସେ ବାସ ଆଘ୍ରାଣେ ଆହା ପୁରିଉଠେ ହୃଦୟ।
ଅଦୂରେ ପଲ୍ଳବ ମେଳେ ପ୍ରସ୍ଫୁଟିତ ତୋ ତନୁ
ରଜନୀ କ୍ଷୟରେ କ୍ଷୟ ଆୟୁଷ ତୋ ଯେଣୁ ।
କ୍ଷଣିକ ଜୀବନେ ତେଣୁ ଚହଟାଇ ସୁବାସ
କ୍ଷଣିକ ଏ ସଂସାରକୁ ଦିଆଯାଉ ଆଭାସ ।
ସମୟଟା ସରିଗଲେ ଝରିଯାଏ ଏ ଦେହ
ରୂପ,ଗନ୍ଧ ଉଡିଯାଏ କାହା ପାଇଁ ଏ ମୋହ ।
ରୂପ ଥିଲେ ଦୁନିଆଁ ଟା କରୁଥାଏ ଆଦର
ତା ପରେ ଧୂଳିରେ ଖସି ଧୂଳି ହୁଏ ଶରୀର ।