ମଧୁମୟ ମଧୁମାସ
ମଧୁମୟ ମଧୁମାସ
ଅପୂର୍ବ ଆନନ୍ଦେ ମନ ପୁଲକିତ
ବରଷିଲା ରଙ୍ଗ ବର୍ଷା
ମଧୁମାସ ଏଇ ଫଗୁଣ ପାର୍ବଣେ
ଲିଭି ଯାଏ ଦ୍ୱେଷ ଈର୍ଷା ।
ଇନ୍ଦ୍ରଧନୁ ରଙ୍ଗ ବିଛାଇଛି ସତେ
ଆଜି ଏଇ ଧରା ଧାମେ
ଶ୍ରାବଣର ରୂପେ ବସନ୍ତ ବର୍ଷାଏ
ମନ ମୋହି ସ୍ନେହ ପ୍ରେମେ ।
ଶୀତର ରାଜୁତି ଲୁଚି ଗଲା କାହିଁ
ପ୍ରବେଶିଲା ଋତୁରାଜ
ହସୁଛି ମେଦିନୀ ମନ ତା ରଙ୍ଗିନ୍
ପଞ୍ଚ ମୁରୁଜରେ ସଜ ।
ହୃଦୟ ଶୁଷ୍କତା ଲିଭାଏ ବସନ୍ତ
ସବୁଜ ପାଲଟେ ମରୁ
ନବ ପଲ୍ଲବିତେ ତରୁ ଲତା ହସେ
ପ୍ରକାଶି ସୁନ୍ଦର ଚାରୁ ।
ଏଇ ତ ଜୀବନ ଅନେକ ସପନ
ଏଇଠି ମଳୟ ବହେ
ଏଇ ହୃଦୟକୁ ସ୍ନେହ ପ୍ରୀତି ଦେଇ
କେତେ ଯେ ରାଗିଣୀ ଗାଏ ।