ଫୁଲ ଫୁଟିଅଛି
ଫୁଲ ଫୁଟିଅଛି
ଫୁଲ ଫୁଟିଅଛି କେତେ କିସମର
କି ସୁନ୍ଦର ଦିଶୁ ଥାନ୍ତି
ସୁବାସ ବିତରି ଦିଗ ଚହଟାଇ
ପଥିକ ମନ ମୋହନ୍ତି।
ପ୍ରଜାପତି ଉଡେ ଏ ଫୁଲୁ ସେ ଫୁଲ
ଭ୍ରମର ବି ଗୁଣୁଗୁଣୁ
କିଛି ଝଡି ପଡେ ମାଟିର ଉପରେ
ନୁହେଁ କେବେ ତାହା ସ୍ଥାଣୁ।
କିଛି ତୋଳା ହୋଇ ମାଳା ଗୁନ୍ଥା ହୋଇ
ଦେବତାଙ୍କ ଗଳେ ଶୋହେ
କିଛି ରହିଯାଏ ଗଛର ବୃନ୍ତରେ
ପ୍ରକୃତିର ମନ ମୋହେ।
ଅଳପ ଦିନର ଆୟୁଷକୁ ଦେଇ
ସଦା ସେ ଚଳଚଞ୍ଚଳ
ଫୁଲ ପରି ଆମେ ସେବା କରିଯିବା
ଉଚ୍ଚା କରି ମନୋବଳ।
ଅଦୃଶ୍ୟ ଦେବତା ବର ଦାନ ଦେବେ
ଜୀବନ ହେବ ସୁଗମ
ଫୁଲ ପରି ଆମେ ସୁବାସିତ ହୋଇ
କରିବା ତାଙ୍କୁ ଅର୍ପଣ।
