ଫୁକୁସିମା
ଫୁକୁସିମା
(୧୧ମାର୍ଚ୍ଚ୨୦୧୧ରେ ସୁନାମୀ ଯୋଗୁଁ ଜାପାନର ଫୁକୁସିମାରେ ଥିବା ଡାଇଚି ପରମାଣୁ ରିଆକ୍ଟର
ଦୁର୍ଘଟଣାଗ୍ରସ୍ତ ହୋଇ ୧୫ମାର୍ଚ୍ଚରେ ବିସ୍ଫୋରଣ ହୋଇଥିବା ପରିପ୍ରେକ୍ଷୀରେ କବିତା )
"ମୁଁ"ଫୁକୁସିମା କହୁଛି
କୋଳାହଳମୟ, ବ୍ୟସ୍ତ, କର୍ମଚଞ୍ଚଳ
ମୋ ବକ୍ଷ ଆଜି ନିସ୍ପନ୍ଦ
ଯେଉଁଠି ରାତି ଦିନର ଫରକ୍ ଦିଶେନା
ଘୋଟିଗଲା ଅମାଅନ୍ଧକାର
ଯେଉଁଠି ମଣିଷ କ୍ଷୁଦାର ସଂଜ୍ଞା ବୁଝେନା
ସେଇଠି ବୁଭୁକ୍ଷୁର ଚିତ୍କାର।
ପ୍ରକୃତି ସାଜିଲା ଜହ୍ଲାଦ
ନିମିଷକେ ହୋଇଲା ବିତ୍ପାତ
ମେଦିନୀ ଥରିଲା
ଭୂମିକମ୍ପ-ରୋଧି ଘର ଧରାଶାୟୀ ହେଲା
ସମୁଦ୍ର ତେଜିଲା
ମା'କୋଳୁ ପିଲା ଭିଡିନେଲା
ପୁଞ୍ଜିପତି ଶ୍ରମିକ କାହାକୁ ସେ ଛାଡିଲାନି
ସାଉଁଟି ନେଲା ତା' ଅଶାନ୍ତ ଗର୍ଭକୁ।
ଦିନେ ହିରୋସିମା ନାଗାସାକି କନ୍ଦୁଥିଲା ବେଳେ
ମୁଁ ଥିଲି ଆନନ୍ଦ
େ ବିଭୋର
ସେତେବେଳେ ଥିଲି ମୁଁ କିଶୋର
ସମ୍ଭାବିତ ଯୌବନ ନିଶାରେ
ମାତୁଆଲା ହୋଇ
ବୁଝିଥାନ୍ତି ବା କିପରି ।
ଛଅ ନଅରେ ତାଙ୍କ ବକ୍ଷେ
ପଡିଥିଲା ପରମାଣୁ ବୋମା
ଛଅରୁ ନଅ ବେଶୀ ପନ୍ଦରରେ
ମୋ ଛତିର ଡାଇଚିରେ
ହେଲା ଦୁର୍ଘଟଣା
ତେଜଷ୍କ୍ରିୟତାରେ ହେଲି ମୃତବତ୍।
ଶାନ୍ତି ପାଇଁ ପରମାଣୁ ହେଲା ବିନିଯୋଗ
ହେଲେ ପ୍ରକୃତି କଲା ତା ବିରୋଧ
ବେକୁବ୍ ମଣିଷ ବୁଝେନା
ଶକ୍ତି ଅମାପ କାହାର ।
ବିକାଶ ନାମରେ ପ୍ରକୃତି ସଂହାର
ପ୍ରତି କ୍ଷଣରେ ବଦଳୁଛି ମାପକାଠି
ଖାଲି ମାନସାଙ୍କ ପରେ ମାନସାଙ୍କ
କଷିବାରେ ବ୍ୟସ୍ତ ଏ ମଣିଷ
ବୁଝିବ କେମିତି ।
ଏଇତ ଆରମ୍ଭ
ଛଅ ନଅ ପନ୍ଦର ଗଲା
ପୁଣି ହେବ ଚବିଶରେ
ଅଛି ବେଶ୍ କିଛି ଦିନ
ସଜାଡିବାକୁ
ଅସଜଡା ପ୍ରକୃତିର ନୀଡ଼ ।