ପହିଲି ପୁଲକ
ପହିଲି ପୁଲକ
ମୋ ଗାଆଁ ମାଟିର ପହିଲି ପୁଲକ
ମଧୁ ଠୁ ମଧୁର ଛୁଆଁ
ଯେଉଁଠି ବହୁଛି ପୁଣ୍ୟ କାଠଯୋଡ଼ି
କରୁଛି ମୋତେ କିମିଆ ll
ଜନମି ଯେଉଁଠି ଯା' ପାଣି ପବନେ
ଗଢ଼ା ହେଲା ମୋର ତନୁ
ସେଇ ମାଟି ମୋର ରମ୍ୟ ତପୋବନ
କେବେ ଲିଭିବନି ମନୁ ll
କେତେ ସନ୍ତାନଙ୍କୁ ଜନମ ଦେଇଛି
ଛୋଟରୁ କରିଛି ବଡ଼
କେତେ ପୁଣି ଏଠୁ ବିଦାୟ ନେଲେଣି
ଜୀବନକୁ କରି ଜଡ଼ ll
ଜୀବ ଚାଲିଯିବ ସମୟ ସାଥୀରେ
ରହିଯିବ କିଛି ସ୍ମୃତି
ସବୁ ସ୍ମୃତିକି ଯେ ସାଇତି ରଖିଛି
ସେଇ ମୋର ଜନ୍ମମାଟି ll
କରିନାହିଁ କେବେ କାହାକୁ ସେ ପର
ସଭିଏଁ ତା' ଆପଣାର
ମାଟି ପାଣି ସାଙ୍ଗେ ତା' ସ୍ନେହ ମମତା
ସମୀରଣ ସୁମଧୁର ll
କେଡ଼େ ମନଲୋଭା ତା'ଶ୍ୟାମଳ ଶୋଭା
ନଦନଦୀ ଗିରି ବନ
ସକାଳରୁ ସଞ୍ଜ ତା' ଗୋଧୂଳି ବେଳ
କିଣି ନିଏ ମୋର ମନ ll
ପର୍ବତ ପ୍ରାନ୍ତର ଦେବତା ମନ୍ଦିର
ସବୁ ତାର ମହନୀୟ
ସେଇ ମାତୃଭୂମି ମହାନ ମାଟିର
କରୁଛି ମୁଁ ଜୟଜୟ ll