ପହିଲି ବର୍ଷା
ପହିଲି ବର୍ଷା
ଆସ ଗୋ ସଖୀ ଆସ ଦୁହେଁ ମିଶି
ପହିଲି ବର୍ଷାରେ ଓଦା ହେବା
ଧୂଳି ଧୂସରିତ ଏ ଜୀବନକୁ
ଧୋଇ ସଫା କରିବା
ହୃଦୟ ବନରେ ସବୁଜ ସ୍ୱପ୍ନର ପଲ୍ଲଵ କଅଁଳାଇବା
ଭଳିକି ଭଳି ଶାଢ଼ୀ ବଦଳାଇ ନୂଆ ନୂଆ ରିଲସ ବନାଇବା
ତମ ବୋଧେ ଡରୁଥିବ ଏ ବିଜୁଳିର
ଚକମକି ଘଡଘଡିକୁ
ବୋଧେ ଡରୁଥିବ ଏ ବର୍ଷାରେ ଓଦା ହେଲେ
ତମ ଦେହ କାଳେ ଖରାପ ହେବ
କିନ୍ତୁ କାଢିଦିଅ ମନରୁ ସେ ସଂକୀର୍ଣ୍ଣତା
ଆସ ଲାଗିଯାଅ ମୋ ଛାତିରେ
ଅନୁଭବ କର ପହିଲି ବର୍ଷାର ଏ ଉଷ୍ମତାକୁ
ଫୁଟିଉଠୁ ତୁମ ଦେହରେ ବସନ୍ତର ଚମ୍ପାଫୁଲ
ଭିଜା ମାଟିର ବାସ୍ନା ସହ ତୁମ ସୌରଭର ସୁରା ମଧ୍ୟ
ଦିଗବିଦିଗେ ଛୁଟିଯାଉ
ତମେ ଏ ବର୍ଷାରେ ଓଦା ହେବା ତ ଦୂରର କଥା
ବୋଧେ ଘରଠୁଁ ଦୂଆରେ ପାଦ ବି ରଖି ନ ଥିବ
ମୁଁ କିନ୍ତୁ ଅଭ୍ୟସ୍ତ
ବର୍ଷାରେ ଭାସିଯାଉଥିବା ମୋର ଛିଣ୍ଡା ଚପଲକୁ
ସାଉଁଟି ଆଣିବା ବାହାନାରେ ଓଦାକରେ ମୋର ସାରାଦେହ
ସାଧବ ବୋହୂର ବିଚରଣ ପାଇଁ ତାକୁ ଯାଚିଦିଏ
ମୋର ବିସ୍ତିର୍ଣ୍ଣ ପାଇନ ଜଙ୍ଗଲ
ଆସ ଗୋ ସଖୀ ଆସ
ଏ ପହିଲି ବର୍ଷା ଯୌବନର ଏକାନ୍ତ ସାଥି
ଏହାକୁ ଉପଭୋଗ କରିଥିବା ମନଭରି-
ପ୍ରତିଟି ଅଙ୍ଗପ୍ରତ୍ୟେଙ୍ଗରେ
ଅନୁଭବ କରିଥିବା ପ୍ରତିଟି ସିରାପ୍ରଶିରାରେ
ଦିନେ ଏ ବର୍ଷାଥିବ
ଏ ମୌସମ ବି ଥିବ
କିନ୍ତୁ ଯୌବନର ମାଦକତା
ଏ ଦେହରେ ନଥିବ
ଆଉ କାଶ୍ମୀରର ଡାଲହ୍ରଦ
ତମ ଦେହରୁ ଶୁଖି ଯାଇଥିବ

