ଫିକା ଫଗୁଣରେ
ଫିକା ଫଗୁଣରେ
ପୋଡା ଇଟା
ଆଉ
ପୋଡିଲା ପତ୍ରରେ
ଅନେକ ଅନେକ ପାର୍ଥକ୍ୟ
ଗୋଟିଏ ଶକ୍ତ କୋଠା
ଅନ୍ୟଟି
ପାଉଁଶ ମାଟିର ।
ବୈଶାଖର ନାଗଫେଣୀ
ବସନ୍ତର ସୁଲୁସୁଲୁ ବାଆ
ଗୋଟିଏ କୃଶ ବିଦ୍ଧ ଜୀବନ
ଆଉ
ଅନ୍ୟଟି
ବିରହ ପ୍ରେମିକା ।
ଯୌବନର ବସନ୍ତରେ
ଉଛୁଳା ପୂର୍ଣ୍ଣାଙ୍ଗ
ଶିଉଳି ଭରା ଗାଧୁଆର ତୋଠ
ଅନ୍ୟଟି
ସ୍ବଚ୍ଛ ଢେଉ ଜଳରାଶି
ଫୁଟି ଉଠେ ଶହ ଶହ କଇଁ ।
ପାବଚ୍ଛରେ ଧୋଉଥିବା
ଗୋରା ତକ ତକ ସୁନା ଦିହ
ଅନ୍ୟଟି
ଲୋଚାକୁଚା ସ୍ମୃତିର ପାଖୁଡ଼ା
ମହକି ଉଠେ
ବସନ୍ତର ବକୁଳ ସୁଗନ୍ଧ ।
ହଠାତ୍
ପାଦ ମୋର ପଡ଼ିଗଲା
ପୋଡିଲା ପତ୍ରର
କାଦୁଆ ରାସ୍ତରେ
କିନ୍ତୁ
ପୋଡା ଇଟା ଗଢିଦେଲା
ଶକ୍ତ ମନୋଭାବ
ଏ କଲେଇ ଛଡା
ଫିକା ଫଗୁଣରେ ।
ବସନ୍ତଟା ଫିକା ହୋଇଗଲା
କୁହୁଡିରେ ବଉଳକୁ
ଯଉ ପୋକ ଖାଇଗଲା
ଅଭିମାନ ରେ ବଉଳର
ମଧୁ ସବୁ ଟପ୍ ଟପ୍ ଝରି
ମାଟିରେ ମିଶିଲା ।
ଶକ୍ତ ଇଟା କାନ୍ଥଟା
ଭୁଷୁଡି ପଡିଲା,
ପଙ୍କୁଆ ମାଟିର
ଶୋଷିଲା ଆଖିରେ
ମାଟି ଫାଟି ଆଁ କରିଲା
କେଉଁଠି ଲୁଚିଗଲା
ଇଟା ଓ ପଙ୍କର ସତ୍ତା
ଅଦିନିଆ ବସନ୍ତର
ଫୁଲ ଫୁଟା ଦିନମାନଙ୍କରେ
ଫିକା ଫଗୁଣରେ ।