ଫଗୁଣର ପ୍ରୀତି ଛିଟା
ଫଗୁଣର ପ୍ରୀତି ଛିଟା
ଫଗୁଣର ପ୍ରୀତି ଛିଟା ଲାଗେ କେତେ ମିଠା
ଫୁଲ ଫଳ ଭାରେ ଭରା ବିମଳ ବସୁଧା ।
ଫଗୁ ଖେଳ ଦୋଳ ଜାତ ଉତ୍ସବ ପାଳନ
ଫସଲ ଅମଳ ପରେ ଆସେ ଏ ଫଗୁଣ ।
ଫୁରୁ ଫୁରୁ ହୋଇ ମନ ପ୍ରାଣେ ଖୁସି ବୁଣେ
ଫୁଲ ଫଳ ଗନ୍ଧ ସ୍ୱାଦ ମଳୟ ପବନେ ।
ଫର ଫର ଧ୍ଵନି ତୋଳେ ମୃଦୁଳ ଦୋଳନ
ଫୁଲ - ପଲ୍ଲବରେ ମହୀ ବର୍ଣ୍ଣାଢ଼୍ୟ ବରଣ ।
ଫଗୁଣେ କୋକିଳ ଗାଏ ଭ୍ରମର ବୋବାଏ
ଫୁଲେ ଫୁଲେ ମହୁମାଛି ବସି ମଧୁ ପିଏ ।
ଫଳନ୍ତି ବୃକ୍ଷରେ ଭରେ ବନ ଉପବନ
ଫୁର୍ତ୍ତି ଉତ୍ସାହ ଉଲ୍ଲାସେ ମନ ପ୍ରାଣ ପୂର୍ଣ୍ଣ ।
ଫୁଲ ଗନ୍ଧ , ସାଥେ ସହକାର କଳିକାର
ଫୁର୍ତ୍ତି ଉନ୍ମାଦନା ଭରା ସୁଗନ୍ଧିତ ଧାର ।
ଫଗୁଣରେ ପ୍ରବାହିତ ହୁଏ ଦିଗେ ଦିଗେ
ଫଗୁ ରଙ୍ଗ ଅବିରରେ କି ସୁୁଦିବ୍ୟ ରାଗେ ।
ଫଗୁଣର ପ୍ରୀତି ଛିଟା ଚିଞ୍ଚି ଦିଏ ନିତ୍ୟେ
ଫୁଟି ଉଠେ ମନ ପ୍ରାଣ ଦିବ୍ୟ ଶକ୍ତି ସ୍ରୋତେ ।
ଫଗୁ ଦୋଳ ଜାତ ପାଇଁ କି ବିଜୟ କରି
ଫଗୁଣରେ ରାଧା କୃଷ୍ଣ ଲୀଳା ଥାନ୍ତି କରି ।
ଫର ଫର ଉଡେ ନେତ ବାଜେ ବାଜା ତୂରୀ
ଫଗୁ ଉତ୍ସବରେ ଭକ୍ତେ ମଉଜେ ବିହରି ।
ଫେରନ୍ତି କାନ୍ଧରେ ଧରି ଦୋଳ ବିମାନକୁ
ଫଗୁଣର ଫଗୁ ଖେଳ ମେଳଣ ଯାତକୁ ।
ଫଗୁଣର ପ୍ରୀତି ସ୍ରୋତ ଧାରେ ପ୍ରବାହିତ
ଫୁଲି ଫୁଲି ନାଚେ ମନ ପ୍ରାଣ ଅବିରତ ।

