ଫଗୁଣ ପୂର୍ଣ୍ଣମୀ
ଫଗୁଣ ପୂର୍ଣ୍ଣମୀ
ଆସିଛି ବସନ୍ତ ବହୁଛି ମଳୟ
ଦଶ ଦିଶ ଦିଶେ ସୁନ୍ଦର
ପ୍ରାକୃତିକ ଶୋଭା ସୌନ୍ଦର୍ଯ୍ୟ ର ବିଭା
ବିଭାସ ରୁଚିର ତର ।
ଅତୁଳନୀୟ ଯେ ବନୋଦ୍ୟାନ ରାଜେ
ନବ ପୁଷ୍ପ ପଲ୍ଲବ ରେ
ରୋମାଞ୍ଚ ସଂଚରେ ଉଲ୍ଲାସ ମଧ୍ୟ ରେ
ଉଦ୍ଦୀପନା ପୂର୍ଣ୍ଣ ଭାରେ ।
ଉଚ୍ଛୁଳି ଉଠଇ ପ୍ରେମ ସୁରଭି ରେ
ଅବସ୍ଥିତ ପରିବେଶ
ଚମତ୍କାର ବେଶ ମନଲୋଭା ଦୃଶ୍ୟ
ଅତ୍ୟନ୍ତ ସୁନ୍ଦର ତର ।
ସବୁଠି ବସନ୍ତ ବାସନ୍ତୀ ମୂର୍ଚ୍ଛନା
ଭାସି ଆସେ ଦୂରୁ ଧୀର
ପଶୁ ପକ୍ଷୀ କୀଟ ଅଳୀ , ମଧୁ ମକ୍ଷୀ
ମଧୁ ଝରା ଚାରୁ ସ୍ୱରେ
ଗାବନ୍ତି ମଧୁର ତାନ ସୁରୁଚିର
ମନ କୁ ଉନ୍ମନ। କରେ ।
ଦୋଳ ଜାତ ରାସ ହେବ ଅନୁଷ୍ଠିତ
ମଣ୍ଡପରେ ବିଜେ ଦିଅଁ
ପାଖେଇ ଆସିଲା ଏ ଦୋଳ ପୂର୍ଣ୍ଣିମା
ହୁଏ ସବୁ ସଜ ବାଜ ।
ବିମାନେ ବିଜୟ ହେବେ ଦୟାମୟ
କୃଷ୍ଣ ଭକତ ଜୀବନ
ନାନା ସ୍ଥାନେ ନାନା ମତେ ଲୀଳା ନୃତ୍ୟ
ରାସ ରସେ ସେ ବହନ ।
କରିବେ ବିଜୟ କି ଆନନ୍ଦ ମୟ
ବହେ ଦକ୍ଷିଣା ମଳୟ
ଚାରୁ ଫୁଲ ଗନ୍ଧେ ଲୋଭିତ କରାଏ
ନିତ୍ୟ ବାସେ ମହ ମହ ।
ପ୍ରକୃତି ବିବିଧ ପ୍ରକାଶ ଔଜଲ୍ୟ
ଖେଳାଏ ଦୀପ୍ତ ସୁଷମା
ଲହରୀ ପ୍ରବାହ ଜାରି ରଖି ମୋହ
କରେ ଏ ଦୋଳ ପୂର୍ଣ୍ଣିମା ।
ଦୋଳ ଉତ୍ସବ ରେ ମୁଖର ମଧୁର
ମଧୁ ଝରା ଚାରୁ ଗନ୍ଧ
ସ୍ୱାଦ ବୋହି ଚାଲେ ଦେଖ ଫୁଲେ ଫୁଲେ
ଚହଟେ ଆହା କି ସ୍ନିଗ୍ଧ ।
ଭାବ ବୋଳା ବେଳା ଏ ଦୋଳ ପୂର୍ଣ୍ଣିମା
ଦୋଳ ହୋଲି ଖେଳେ ଜନେ
ମାତି ଯାଇଛନ୍ତି ସବୁ ଠାରେ ଶାନ୍ତି
ସନ୍ତୋଷ ଦିବ୍ୟ ପ୍ଲାବନେ ।
ରାଧା ସାଥେ ନନ୍ଦ କୁମାର ବିଜୟ
କରିବେ ଏବେ ବିମାନେ
ବାଜେ ବାଜା ତୂରୀ ଘଣ୍ଟ ଘଣ୍ଟା ଭେରି
ଶଙ୍ଖ ଓ ମୃଦୁଙ୍ଗ ସ୍ଵନେ ।
କମ୍ପୁ ଅଛି ପୁର ପଲ୍ଲୀ ଗ୍ରାମ ନଗ୍ର
ମନ୍ଦିର ସବୁଠି ଦେଖ
ଆରମ୍ଭ ହେଲାଣି ଏ ଦୋଳ ପୂର୍ଣ୍ଣମୀ
ଆହା କି ସୁନ୍ଦର ବେଶ ।
ସାଜି ରାଈ ସାଥେ ଦାମୋଦର ଏବେ
ଫଗୁ ଖେଳ ରେ ନିରତ
ଭକତେ ବିମାନ କାନ୍ଧେଇ ବୁଲନ୍ତି
ଦେଖ ଦେଖ ଦୋଳ ଜାତ ।

