ଫଗୁଣ ଆସିଲାଣି
ଫଗୁଣ ଆସିଲାଣି
ଚନ୍ଦନାଦ୍ରିରୁ ଚହଟିଲାଣି
ଚନ୍ଦନର ସୁବାସ
ଶାଖା ପ୍ରଶାଖାରେ
ହସିଲାଣି ଗଛର କଅଁଳ ପତ୍ର
ରାସ୍ତାର ଦୁଇ ଧାରେ
ମନ ମୋହିଲାଣି କୃଷ୍ଣଚୁଡା
ଆମ୍ରକୁଞ୍ଜେ ହସକୁରୀ କୋଇଲିର
ମିଠା ସମ୍ମୋହନ
ସଭିଙ୍କୁ ଅଧିର କଲାଣି
କେତେ ମନଲୋଭା ଦିଶିଲାଣି ଶୋଭା
ମୋ ଗାଁ କୁ ଫଗୁଣ ଆସିଲାଣି ।।
ସୋରିଷ ଫୁଲ
ଆଉ ଗାଉନାହିଁ ଗୀତ
ଦେଖି ତାର ବିଧବା ବେଶ
ମନ ଲାଗେ ଭାରି ଉଦାସ
ଶୀତ କାନ୍ଦୁଛି ବସି
ତା'ର ବାହୁଡିବା ବେଳ ହେଲାଣି
ଋତୁ ଚକ୍ରର ବିବର୍ତ୍ତନରେ
ପ୍ରକୃତିରେ ଫଗୁ ବୋଳି
ମୃଦୁ ମଳୟର ପରସ ଦେଇ
ମୋ ଗାଁ କୁ ଫଗୁଣ ଆସିଲାଣି ।।
ବିଚିତ୍ରବର୍ଣ୍ଣା ହରିତ କାନନେ
ଲୁଚକାଳି ଖେଳୁଛି ହଳଦୀ ବସନ୍ତ
ମଳୟ ପବନର ସୁ ସୁ ଧାବ
କୁଆଁରୀ ଆଖିରେ ବୁଣଇ
ମେଞ୍ଚାଏ ସପନ
ବର୍ଣ୍ଣବିଭା ଅନ୍ତରିକ୍ଷକୁ ଚାହିଁ
ମୟୂର ଝାଡିଲାଣି ଆଲଟ ଚାମର
ଏ ଫୁଲରୁ ସେ ଫୁଲକୁ ଚାହିଁ
ପରଜାପତି ଭାବ ବାଣ୍ଟିଲାଣି
ରଙ୍ଗ ସବାରୀରେ ନବ ବଧୁ ସାଜି
ମୋ ଗାଁ କୁ ଫଗୁଣ ଆସିଲାଣି ।