ମୁଁ
ମୁଁ
ମୁଁ ତ ହେଉଛି ତୁଷାର୍ତ୍ତ ଧରିତ୍ରୀ
ସବୁବେଳେ ଖୋଜୁଥାଏ
ବୁନ୍ଦାଏ ନୀର
ମେଣ୍ଟାଇବାକୁ ତୃଷ୍ଣା ମୋହରି ।
ମୁଁ ତ ହେଉଛି
ଖଣ୍ଡିଏ ସାଧା କାଗଜ
ସବୁବେଳେ ଚାହେଁ ଧରି ରଙ୍ଗ ତୁଳୀ
ରଙ୍ଗେଇବାକୁ ନିଜ ରଙ୍ଗରେ ।
ମୁଁ ତ ହେଉଛି
ବନ୍ଦ କୋଠରୀର
ଅବ୍ୟବ୍ୟବହୃତ ସ୍ଥାନ
ଯେଉଁଠି ପଡେ ନାହିଁ ରଶ୍ମି ସୁରୁଜର ।
ମୁଁ ତ ହେଉଛି ମରୁଭୂମିର
ବିସ୍ତିର୍ଣ୍ଣ ବାଲି ପ୍ରାନ୍ତର
ଯାହାର ନଥାଏ ଯୋଗଦାନ
ଆଲିଶାନ ଆଶ୍ରୟସ୍ଥଳୀର ।
ମୁଁ ତ ହେଉଛି ଏକ ଅସଫଳ ପ୍ରେମୀର
ବେଦନାଦାୟକ ଚିତ୍କାର
ଯିଏ ସବୁବେଳେ ପାଷାଣ ହୃଦୟକୁ
ତରଳାଇବାକୁ କରେ ଚେଷ୍ଟା ।
ମୁଁ ତ ହେଉଛି
ଗରିବର ଦୁଇଟି ଶବଦ
ଯିଏ ସବୁବେଳେ କିଛି କହିବାକୁ ଚାହେଁ
କିନ୍ତୁ କେହି ତାହା କଥା ଶୁଣନ୍ତି ନାହିଁ ।
ମୁଁ ତ ହେଉଛି ଗୋଟିଏ ମାଆର
କରୁଣ ମମତା
ଯିଏ ତା ସନ୍ତାନକୁ ହୃଦୟରେ
ଜାବୁଡି ଧରିବାକୁ କରେ ଚେଷ୍ଟା ।
ମୁଁ ତ ହେଉଛି ଜଳୁଥିବା ଦୀପର
ଶେଷ କିରଣ
ଯିଏ ଅନ୍ଧାରକୁ କରି ଆଲୋକିତ
ପୁଣି ମିଶିଯାଏ ଅନ୍ଧାରରେ ।
ମୁଁ ତ ହେଉଛି
ଏମିତି ଶବଦଟିଏ
ନଥାଉ ପଛେ ତାହାର ଅର୍ଥ
କିନ୍ତୁ ମୁଁ ଶାଶ୍ୱତ ।
କୌଣସି ନା କୌଣସି ରୂପରେ
ମିଶୁଥିବି ସମସ୍ତଙ୍କ ସହିତ
ସବୁବେଳେ ଘୁରୁଥିବ କାଳଚକ୍ର
ମୁଁ କିନ୍ତୁ ଜଳୁଥିବି ଜଳୁଥିବି ।