ଫେରନ୍ତା ଚିଠି
ଫେରନ୍ତା ଚିଠି
ପାଦରୁ ପାଉଁଜି ଖୋଲିଦେଇ ତୁମେ
ନିରବରେ ଆସିଥିଲ
ଛୁଇଁ ଦେଇ ମତେ ଚାଲିଯିବ ବୋଲି
ମନେ ମନେ ଭାବିଥିଲ ।
ଗୁଞ୍ଜରିତ ତୁମ ପାଦର ଧ୍ବନି ରେ
ନିଦ ମୋର ଭାଙ୍ଗିଗଲା
ପାପୁଲିରେ ମୋର ତୁମରି ହାତର
ସ୍ପର୍ଶ ଖାଲି ରହିଗଲା ।
ଭାବ ରଖିଥିଲି ଭାବନାରେ ଟିକେ
ତୁମକୁ ରଖିବା ପାଇଁ
ଥରେ ଆସିଲନି ଗୋଟିଏ ସ୍ବପ୍ନ ରେ
କେତେ ରାତି ଗଲା ପାହି ।
ଅଧା ଲେଖିଥିଲି ତୁମ ପାଇଁ ଚିଠି
ଅଧା ଦେଇଥିଲି ଚିରି
ଆଜି ବି ତୁମର ଠିକଣା ଖୋଜୁଛି
ପୁରୁଣା ଲଫାପା ଧରି ।
ଉଧାର ରେ ଟିକେ ହସ ଦେଇ ମତେ
କରିଦେଲ ଋଣୀ ସିନା
ତୁମରି ଋଣ ର ମିଛ ଶାନ୍ତ୍ବନା ରେ
ବେଶି ଥିଲା ପ୍ରତାରଣା ।
ନିରୋଳା ରେ ବସି କେତେ ମୁଁ ଭାବିଛି
ଋଣ କୁ ଶୁଝିବା ପାଇଁ
ଯେତେଥର ଚାହେଁ ଆଖିର ଲୁହରେ
ସବୁକିଛି ଯାଏ ଧୋଇ ।
ଶେଷଥର ପାଇଁ ଲେଖିଥିଲି ଚିଠି
ତୁମ ପ୍ରତିକ୍ରିୟା ପାଇଁ
ଆଜି ବି ତୁମର ଫେରନ୍ତା ଚିଠି କୁ
ମନ ମୋ ବସିଛି ଚାହିଁ ।