ଭାବର ଠାକୁର
ଭାବର ଠାକୁର
ସୁଖ କୁ ସାଇତି କି ଲାଭ ପାଇବ
ବାଣ୍ଟି ଦେଇ ଥରେ ଦେଖ
କାହାର ଆଶିଷ ମିଳୁ କି ନ ମିଳୁ
ହସିବ କଳା ଶ୍ରୀମୁଖ ।
ଦୁଃଖ ହରତା ସେ ଦୁଃଖି ଟେ ହସିଲେ
ଧର୍ମ ନିକିତି ରେ ତା'ର
କ୍ଷମା କରିଦେବ ଅର୍ଜିତ ପାପ କୁ
ବଢିଯିବ ପୁଣ୍ୟ ଭାର ।
ଜୀବନ ମରଣ ଦୁଇଟି ଶବ୍ଦ ର
ଚମତ୍କାର ଅନ୍ତାକ୍ଷରୀ
ଖେଳୁ ଖେଳୁ କେବେ ଦୁହିଁଙ୍କ ମଧ୍ୟରୁ
ଜଣେ ଯାଏ ଖେଳ ହାରି ।
ମଝିରେ ରହିଛି ଗୋଟିଏ ନାଟକ
ଚରିତ୍ର ରେ ହସ ଲୁହ
ଯେବେ ନାଟକ ରେ ଯବନିକା ପଡେ
ସରିଯାଏ ସବୁ ମୋହ ।
ପୂଣ୍ୟର ଆଶାରେ ଯେତେ ବି ନୈବେଦ୍ୟ
ବାଢିଦେଲେ ଲାଭ ନାହିଁ
ମାୟାବୀ ଠାକୁର ମାୟା ବୁଝିପାରେ
ଆଶିଷ ସେ ଦିଏ ନାହିଁ ।
ଭୋକିଲା ପେଟରେ କାଳିଆ ର ନାମ
ଯିଏ ତା ତୁଣ୍ଡ ରେ ଧରେ
କିଛି ଅନ୍ନ ଦେଇ ତାକୁ ହସେଇଲେ
ପାପ ସରେ ଧିରେ ଧିରେ ।
ନିଜ ପାଇଁ କିଛି ମାଗୁନି କାଳିଆ
ପର ପାଇଁ ହାତ ଯୋଡୁଛି
ତୋ ଆଶିଷେ ପ୍ରଭୁ ଯଦି କିଏ ହସେ
ସୁଖ ମୋର ବଢିଯାଉଛି ।
ମୃତ୍ୟୁ ର ରେଖା କୁ ମଥାରେ ଦେଇଛ
ସୁଖ ଆଉ ଲୋଡା ନାହିଁ
ବାକି ଥିବା ସୁଖ ବାଣ୍ଟି ଚାଲିଯିବି
ଆଉ କାହା ହସ ପାଇଁ ।