STORYMIRROR

Rajat Kumar Nayak

Classics

4  

Rajat Kumar Nayak

Classics

ମୋ ଗାଁ ମୋ ପରିଚୟ

ମୋ ଗାଁ ମୋ ପରିଚୟ

1 min
379

ଚାଲୁ ଚାଲୁ ମୁଁ ମୋ ଗାଁ ମାଟିରେ

କେତେ ଥର ପଡି ଉଠିଛି

ଓଦା ସରସର କାଦୁଆ ଦେହରେ

ଘରକୁ ମୁଁ ଫେରି ଆସିଛି

ମା ଠାରୁ ଗାଳି ଶୁଣିଛି

ବାପାଙ୍କ ଠୁ ମାଡ ଖାଇଛି

ବୁଢ଼ୀ ମା ମୋର କୋଳରେ ବସେଇ

କେତେ ଗେଲ ମୋତେ କରିଛି

ଲୁଣିଆ ଚା କୁ ଫୁଙ୍କି ଫୁଙ୍କି ସିଏ

ମତେ ବି ପିଆଇ ଦେଇଛି

ତାଆରି ଝାଳୁଆ ପଣତ କାନିରେ

ଦେହ ମୋର ପୋଛି ଦେଇଛି

ଡବାଏ ଚାଉଳ ହାତରେ ଲୁଚେଇ

ମୋ ପାଇଁ ଚୁଚୁମା ଆଣିଛି

ତାଆରି ଫଟୋରେ ଫୁଲମାଳ ଦେଖି

ତା ପଣତ କୁ ଖୋଜୁଛି

ଝାଳୁଆ ପଣତ ବାସନା ଆଗରେ

ଡିଓ ଫିକା ପଡି ଯାଉଛି ।


ହଳ କରିସାରି ବୁଢା ବାପା ମୋର

ଯେବେ ସେ ଘରକୁ ଫେରନ୍ତି

କଂସା ତାଟିଆ ରେ ପାଣି ପିଉ ପିଉ

କେତେ ମୋତେ ସିଏ ଡାକନ୍ତି

ମୁଁ ନ ଆସିଲେ ଚାଳ ଘରେ ପଶି

ଲୁଚି ଲୁଚି ମତେ ଖୋଜନ୍ତି

ହେଇ ମୋ ବାଳୁଙ୍ଗା ଏଇଠି ବସିଛି

କହିକି କାଖେଇ ଦିଅନ୍ତି

ଗାଲରେ ଗୋଟିଏ ଚୁମା ଦେଇ ମତେ

କାନ୍ଧରେ ବସେଇ ଦିଅନ୍ତି 

ଚା ଟିକେ ପିଇ ହାତ ଧରି ମୋତେ

ନଈକୁଳ ନେଇ ଯାଆନ୍ତି

ଗାମୁଛା ପକେଇ ବାଲିରେ ଶୁଆଇ

ଅଣ୍ଟାରେ ମୋ ହାତ ମାରନ୍ତି

ମୁଁ ହସିଦେଲେ ମୁଣ୍ଡକୁ ଆଉଁସି

କେତେ ସେ ଆଶିଷ ଦିଅନ୍ତି

ବାଳୁଙ୍ଗା ଦିନେ ମୋ ମଣିଷଟେ ହେବ

କହି ଟିକେ ହସି ଦିଅନ୍ତି

ସେଇ ଅନାବିଳ ସ୍ନେହ କଥା ଭାବି

କେତେ ତାଙ୍କୁ ଝୁରି ହେଉଛି

ଫେରି ଆସ ଜେଜ ଆଉଥରେ ତମେ

ବାଳୁଙ୍ଗା ତୁମକୁ ଖୋଜୁଛି ।


କୁଆଡେ ହଜିଲା ସେ ସ୍ନେହ ମମତା

ମନ ସବୁବେଳେ ଖୋଜୁଛି

ସ୍ମୃତି ର କାନ୍ଥରେ ଚାପି ହେଇ ବୋଧେ

ଶ୍ବାସଋଦ୍ଧ ହେଇ ଯାଇଛି

ତତଲା ଝାଞ୍ଜି କୁ ସହି ମୁଁ ପାରୁନି

ଶୀତତାପ ଘରେ ବସିଛି

ଆଇନା ଆଗରେ ନିଜକୁ ଦେଖିଲେ

ଆଖି ଓଦା ଓଦା ଲାଗୁଛି

ଲାଗୁଛି ଯେମିତି ମୋ ଗାଁ ମାଟି

ଆଜି ମତେ ଭାରି ଖୋଜୁଛି

ଅପରାହ୍ନ ନୁହେଁ ସଞ୍ଜ ରେ କାହିଁକି

ଭାରି କ୍ଳାନ୍ତ ମତେ ଲାଗୁଛି

ସଂସାର କରିଛି ସଂସାର ଭିତରେ

ନିଜେ ବନ୍ଦୀ ହେଇ ଯାଇଛି

ମିଛ ମୋହ ମାୟା ଭିତରେ ଆଜି ମୋ

ମନ ଛନ୍ଦି ହେଇ ଯାଇଛି

ମୋ ଗାଁ ମାଟି ମୋ ପରିଚୟ

ଆଜି ବି ସାଇତି ରଖିଛି

ଏଇ ସହର ରେ ବଢିଛି ମୁଁ ସିନା

ଅପରିଚିତ ସେ ଲାଗୁଛି ।

                


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics