STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ପଦ୍ମ

ପଦ୍ମ

1 min
14.9K


ଭକ୍ତକବି ମଧୁସୂଦନ ରାଓ


କୋଟି ଲାବଣ୍ୟନିଧି ରେ ପଦ୍ମ ତୁହି,

କି ଅମୃତେ ତୋ ତନୁ ଗଢ଼ିଲା ବିହି?

ତୋ ରୂପ-ଦରଶନେ ମୋର ହୃଦୟ

ପୁଣ୍ୟ ଆନନ୍ଦେ ହୁଏ ଅମୃତମୟ।।


ଢଳ ଢଳ ସୁନୀଳ ସରସୀ ଜଳ,

ଢଳ ଢଳ ଶ୍ୟାମଳ ନଳିନୀ ଦଳ,

ଢଳ ଢଳ ଭାସ୍କର ରଶ୍ମି ଉଜ୍ଜ୍ବଳ,

ତା ମଧ୍ୟେ ଢଳ ଢଳ ତୁହି କମଳ ।।


ହସ ହସ ବଦନେ ହରଷଭରେ

ଅନାଇ ରହିଅଛି ତୁ ଦିବାକରେ ।

ତୋ ମୁଖେ ଜ୍ୟୋତିଧାରା ସେ ଦିବାକର

ଢାଳଇ ଅବିରଳ ଆରେ ପୁଷ୍କର ।।


ପିଉ ତୁ କି ଆନନ୍ଦେ ପୀୟୂଷ ସରି

ସେ ଶୁଭ୍ର ଜ୍ୟୋତିଧାରା ଭକତି କରି ।

ଆହା କି ଦିବ୍ୟଶିରୀ ତହୁଁ ତୁ ଲଭୁ,

ଧନ୍ୟ ଉତ୍ପଳ, ଧନ୍ୟ ତୋହରି ପ୍ରଭୁ ।।


ମକରନ୍ଦ- ଅମୃତ ହୃଦେ ତୋହର,

ତହୁଁ ସ୍ଫୁରଇ ବାସ କି ମନୋହର!

ସେ ମଧୁପାନେ ମତ୍ତ ମଧୁପଦଳ,

ସେ ସୌରଭେ ପରାଣ କେଡେ ଶୀତଳ ।।


ଶ୍ବେତ ଲୋହିତେ ରଙ୍ଗା ତୋ ଶୁଭ୍ର ତନୁ,

ବାରେ ଦେଖିଲେ କେଭେ ନ ଯିବ ମନୁ ।

ସର୍ବ ଶୋଭାର ତୁହି ଉପମାସ୍ଥଳ,

ଭକତ ପ୍ରେମିକର ତୁହି ସମ୍ବଳ ।।


ସ୍ନେହ କରୁଣା ଭକ୍ତି ପବିତ୍ର ରସ

ପୂରିଛି ତୋ ଅନ୍ତର, ରେ ତାମରସ ।

ନୋହିଲେ କାହୁଁ ତୋର ଦର୍ଶନେ ମନ

ବିମଳ ପ୍ରେମରସେ ହୁଏ ମଗନ ।।


ମଧୁମୟ ପବିତ୍ର ଯାହା ବିଶ୍ବରେ,

ତୋ ନାମ ସଙ୍ଗେ ମିଶା ବିଧାତା ବରେ ।

ପ୍ରିୟ ମୁଖ ନୟନ କର ଚରଣ

ତୋ ନାମ ସଙ୍ଗେ ସିନା ସୁଖ କାରଣ ।।


ସତ୍ୟ ଶିବ ସୁନ୍ଦର ପରମେଶ୍ବର-

ନାମ ସଙ୍ଗତେ ଲଗ୍ନ ନାମ ତୋହର ।

ତେଣୁ ରେ ଅରବିନ୍ଦ ଭକ୍ତଜନର

ବିଭୁ ପଦାରବିନ୍ଦ ସୁମନୋହର ।।


ସର୍ବ ଶୋଭାର ପଦ୍ମ ରେ ପଦ୍ମ, ତୋର

ସଙ୍ଗେ ନିଗୂଢ଼ ଯୋଗ ଅଛଇ ମୋର ।

ଜୀବନ ମରଣରେ ତୋ ସଙ୍ଗେ ମିଶି

ଥାଉ ମୋ ମନ-ପଦ୍ମ ଦିବସ ନିଶି ।।


କଳୁଷ ପଙ୍କେ ମୁହିଁ କେଡେ ମଳିନ!

କେମନ୍ତେ ସରି ତୋର ହେବି ନଳିନ ।

ପଙ୍କଜ ଅଟୁ ତୁହି, ତେଣୁ ଭରସା

ତା ପରି ଶୁଭ୍ର ହେବି ଲଭି ସୁଦଶା ।।


ଅନନ୍ତ ମହେଶ୍ବର ମୋ ପ୍ରାଣସାଇଁ

ବୋଲି ରାଜୀବ, ସଦା ଥିବି ଅନାଇଁ

ଶିଖାଅ ମୋତେ ସଦା ଏ ପୁଣ୍ୟ ବ୍ରତ,

ତୋର ଆଶିଷେ ପୂରୁ ମୋ ମନୋରଥ ।।

ସମାପ୍ତ


साहित्याला गुण द्या
लॉग इन

Similar oriya poem from Classics