ପବିତ୍ର ପ୍ରେମ
ପବିତ୍ର ପ୍ରେମ
ତୁମ ସହ ଯେବେ ଦେଖା ହୋଇଥିଲା
ମୋ କୁମାରୀ ଜୀବନେ ପ୍ରଥମ ବାର
ଅଲିଭା ସେ ସ୍ମୃତି, ଆପଣାର ଭାବ
ହୃଦେ ହୋଇଗଲା ଅଲିଭା ଗାର ।
ମନେ ନାହିଁ ସିନା ମାସ ଓ ତାରିଖ
ହେଲେ ମନେ ଅଛି ସେହି
ପ୍ରଥମ ଛୁଆଁ,
ସେହି ଟିକେ ଛୁଆଁ ମୋ ସରଳ ହୃଦୟେ
ଜାଳିଦେଇଥିଲା ପ୍ରେମର ନିଆଁ ।
ସମୟ ସହିତ ହାତ ମିଳାଇଲି
ଆପଣାଇ ତୁମ ପବିତ୍ର ପ୍ରେମ
ହୃଦୟେ ବଢିଲା ପ୍ରୀତି ଗଭୀରତା
ମନରେ ଉଠିଲା କେତେ ମାନ, ଅଭିମାନ ।
ସପନେ ହଜିଲି ତୁମରି ପ୍ରୀତି ରେ
ଖୋଜିଲି ତୁମର ବାହୁ ବନ୍ଧନ
ସପନରୁ ଦିନେ ଦୂରେଇ ଯାଇ ମୁଁ
ସତ କରି ଦେଲି ଆମ ସପନ
ତୁମ ହାତ ସହ ମୋ ହାତ ଛନ୍ଦିଲି
ବ୍ରାହ୍ମଣ କରିଲେ ମନ୍ତ୍ର ଉଚ୍ଚାରଣ ।
ସେହି ଦିନଠାରୁ ପଛକୁ ଚାହଁନି
ତୁମ ପାଦସହ ପାଦକୁ ମିଳାଇ
ଚାଲିଛି ମୁଁ ସବୁବେଳେ
ଥକିନାହିଁ କେବେ ଜୀବନ ଯୁଦ୍ଧରେ
ଥକିବିନି କେତେବେଳେ ।
ଏହିପରି ସାଥୀ ଜୀବନଟା ଆମ
ନଦୀଭଳି ଗଡୁ ଥାଉ
ଯେତେ ଦୁଃଖ କଷ୍ଟ ଆସିଲେ ଜୀବନେ
ଆମ ପବିତ୍ର ପ୍ରେମ
କେଉଁଠି ଅଟକି ନ ଯାଉ ।

