ପାଉଁଶ ତଳ ର ସ୍ୱପ୍ନ
ପାଉଁଶ ତଳ ର ସ୍ୱପ୍ନ
ଯାତନା ର ଯଉଘରେ ଜଳୁଛି ମୁଁ ଏକା ଏକା
ସପନ ର ଶବ ସାଥେ ନିତି ମୋର ହୁଏ ଦେଖା
ସଜଫୁଟା ମୁହଁ ତାର ରଙ୍ଗ ହୀନ ଆଭାଶୂନ୍ୟ
କୋଣାର୍କ ର ମୁଖଶାଳା ତାଣ୍ଡବ ର ପଦ ଚିହ୍ନ ।
ଆଦେଖା ନିଆଁ ରେ ଜଳେ ସ୍ବପ୍ନ ସବୁ ଜୀଵନ ର
ହୃଦୟ ବୀଣା ବାଜାଏ ଅପୂର୍ଣ୍ଣ ଆଶା ର ସ୍ୱର।
ପାଉଁଶ ତଳେ ବି ଥାଇ ଜାଳି ପାରେ ହୃଦୟ କୁ
ବଞ୍ଚିବାକୁ ଦିଏ ନାହିଁ ନା ଦିଏ ସେ ମରି ବାକୁ।
କ୍ଷଣେ କ୍ଷଣେ ଉଦ୍ଭାସିତ ହୁଏ ହୃଦ ଦରପଣେ
ମୋତେ ସେ ଧିକ୍କାର କରେ ପ୍ରତି କ୍ଷଣେ ଅନୁ କ୍ଷଣେ ।
ପାଉଁଶ ର କବରୀ ରେ ଆଜିବି ସେ ଜଳୁ ଅଛି
ଅର୍ଦ୍ଧଦଗ୍ଧ ଅପାଶୋରା ଅଭୁଲା ତା ସ୍ମୃତି କିଛି ।
ମାନସିକ ଅବସାଦ ଅତ୍ମଗ୍ଲାନି ଅନ୍ତର୍ଦ୍ୱନ୍ଦ
ନୈରାଶ୍ୟ ର ଅନ୍ଧକାରେ ହୁଏ ଜୀଵନ ଆବଦ୍ଧ।
ଧୂମ୍ରାଭ ଦୁର୍ଦୁଶ୍ୟ ଦିଶେ ଭବିଷ୍ୟ ର ଦୃଶ୍ୟପଟ
ମୃଗତୃଷ୍ଣା ଆଭରଣେ ଜୀଵନ ର ଚିତ୍ରପଟ।
ନବ ପ୍ରାଣ ର ପୁଲକ ହେଉନାହିଁ ଆହ୍ଲାଦିତ
ସୀମାହୀନ ସମ୍ଭାବନା ଧରାଶାୟୀ ଭୂପତିତ ।
ପ୍ରାଣ ଆଜି ଶରବୀଦ୍ଧ ଯନ୍ତ୍ରଣା ରେ ଜର୍ଜରିତ
ସ୍ବପ୍ନହୀନ ଆଶାଶୂନ୍ୟ କ୍ଷତାକ୍ତ ଓ ମୃତବତଃ ।
ବୟସ ର ଆକାଶ ରେ ଘୋଟିଛି କଳା ବଉଦ
ସ୍ବପ୍ନ କ୍ଷଣପ୍ରଭାଲୋକେ ଝଲସେ ମନ ଜଳଦ ।
ପାଉଁଶ ତଳ ର ସ୍ବପ୍ନ କେବେ ଅମାବାସ୍ୟା ରାତି
କେବେ ନୀଳ ଶୈଳ ମଧ୍ୟେ ଶୁଭ୍ର ଅଭ୍ର ଖଣ୍ଡ ଦ୍ୟୁତି ।
ଆତଙ୍କିତ ହୁଏ ମନ ହୁଏ ହୃଦ ପ୍ରକମ୍ପିତ
ତା ପ୍ରଭାବେ କେବେ ଲିଭେ ଜୀଵନ ଅସ୍ତିତ୍ୱ ।
ଅତୃପ୍ତି ର ହାହାକାରେ ଅତିଷ୍ଠ ହୁଅଇ ପ୍ରାଣ
ତେଣୁ ସ୍ବପ୍ନ ଦେଖିବାକୁ ମନ କରିଛି ବାରଣ ।
