ପାଷାଣ ହେଲକି ପ୍ରଭୁ
ପାଷାଣ ହେଲକି ପ୍ରଭୁ
ମାଗିବିନି ଆଉ ତୁମକୁ ମୁଁ କିଛି
ଜୀବଗଲେ ପଛେ ଯାଉ,
ଯେତେ ଦୁଃଖ ଆସୁ ଜୀବନେ ମୋହର
ଡାକିବିନି ମହାବାହୁ ।
ଚତୁର୍ଦିଗେ ଏଠି ଘଟୁଛି ଅନର୍ଥ
ସତ୍ୟ ପାଉଅଛି ଫାଶୀ,
ଦୋଷୀକୁ ନମିଳେ ଦୋଷ ପାଇଁ ଦଣ୍ଡ
ନିର୍ଦୋଷୀ ସାଜୁଛି ଦୋଷୀ ।
ସବୁଦେଖି କାହିଁ ମୋୖନେ ବସିଛ
ଧର୍ମ ଡାକ ଶୁଣନାହିଁ,
ନ୍ୟାୟ,ବିଚାରକି ତୁମପାସେ ନାହିଁ
ଅବା ଗଲା ଲୋପପାଇ ।
ଯେବେଯେବେ ପୁଣ୍ୟ ପାଇଥିଲା କଷ୍ଟ
ନେଇଥିଲ ଅବତାର,
କଳିଜୁଗେ ଅବା ନାହିଁ ତୁମ ଶକ୍ତି
ମୂଲ୍ୟନାହିଁ ଭକତିର ।
ଆଉ କେତେ ପାପ ଦେଖୁଥିବ ତୁମେ
ଚକାନୟନରେ ଚାହିଁ,
ଶୁଭୁନି ଭକ୍ତର ଆକୁଳ ଚିତ୍କାର
ଅବିଚାର କାହିଁ ପାଇଁ ।
ତୁମ ସଂସାରରେ ନାରୀଟିଏ ପାଇଁ
ନାହିଁଟି ସ୍ଵ ଅଧିକାର,
ତୁଚ୍ଛାକୁ କାହିଁକି ଲୋକ ଦେଖାଣିଆ
ଦେବୀ ଭକ୍ତି ମଣିଷର ।
ଶିଶୁଟିଏ ଅବା ନାରୀଟିଏ ଏଠି
ନିସ୍ତାର କାହାକୁ ନାହିଁ,
ଶୃଗାଳ,କୁକୁର ପରି ବେଢ଼ିଖାନ୍ତି
କାମନାରେ ଅନ୍ଧ ହୋଇ ।
ଏତେ ପାପ ଦେଖି କେମିତି ସହୁଛ
ସିଂହାସନେ ସ୍ଥିର ବସି,
ନାରୀର ନୟନେ ଅଶ୍ରୁ ଭରିଦେଇ
କେମିତି ପାରୁଛ ହସି ।
ଅଛି ଯଦି ଶକ୍ତି ପରାକାଷ୍ଠା ତୁମ
ଅବତର ସଂସାରରେ,
ନାରୀ ମାଂସଲୋଭୀ ପ୍ରତି ମହିଷାକୁ
ସଂହାର କର ଅଚିରେ ।
